କନକ ବ୍ୟୁରୋ: ଅଚାନକ ବର୍ଷା, ଘଡ଼ଘଡ଼ିର ମିଳିବ ଆଗୁଆ ସୂଚନା । କେଉଁଠି ଓ କେତେ ପରିମାଣର ବର୍ଷା, ଘଡ଼ଘଡ଼ି ହେବ ତାହାର ସଠିକ ଆକଳନ କରିବ ଭାରତ ଫୋରକାଷ୍ଟ୍ ସିଷ୍ଟମ୍ । ଗ୍ରାମାଞ୍ଚଳ ପାଇଁ ଏହା ସଞ୍ଜିବନୀ ଭଳି କାମ କରିବ । କିନ୍ତୁ ଏହି ମଡେଲକୁ ଗାଁରେ ପହଞ୍ଚାଇବାରେ ବଡ଼ ବାଧକ ସାଜିଛି ମୋବାଇଲ୍ ନେଟୱର୍କ ।
- ଗାଁ ଗାଁରେ ହେବ ପାଣିପାଗର ଆକଳନ
- ଆଗୁଆ ସତର୍କ କରିବ ଭାରତ ଫୋରକାଷ୍ଟ୍ ସିଷ୍ଟମ୍
ଘଡ଼ଘଡ଼ି, ବିଜୁଳିର ଭୟ ରହିଛି କି ନାହିଁ? କେଉଁଦିନ ପାଗ କେମିତି ରହିବ, ତାହାର ପୂର୍ବାନୁମାନ ଏବେ ପଞ୍ଚାୟତସ୍ତରରେ ହୋଇପାରିବ । ଏଥିପାଇଁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତ ଫୋରକାଷ୍ଟ୍ ସିଷ୍ଟମ୍ ମଡେଲ୍ ଦେଶବାସୀଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଯାହା ପୂର୍ବ ମଡେଲ୍ ଅପେକ୍ଷା ଆହୁରି ପ୍ରଭାବୀ ।
- ୬ କିଲୋମିଟର ପରିଧି ଭିତରେ ପାଣିପାଗର କରିବ ପୂର୍ବାନୁମାନ
- ଦେଶର ୪୦ ଡପଲର୍ ରାଡାରର ତଥ୍ୟ ଆଧାରରେ କରିବ ପୂର୍ବାନୁମାନ
- ସଠିକ ପାଣିପାଗର ପୂର୍ବାନୁମାନ କରୁଥିବା ନାଓକାଷ୍ଟକୁ ଆହୁରି ପ୍ରଭାବୀ କରିବ
- ଏଥିରେ ଏଆଇ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି
- ୩ ବର୍ଷର ସଫଳ ପରୀକ୍ଷଣ ପରେ ଏହାକୁ ଲଞ୍ଚ୍ କରାଯାଇଛି
ପାଣିପାଗର ପୂର୍ବାନୁମାନ ଓ ସତର୍କ ସୂଚନା ସହରାଞ୍ଚଳବାସୀଙ୍କୁ ବେଶ ସହଜରେ ମିଳିପାରୁଛି । କିନ୍ତୁ ଗାଁ ଗଣ୍ଡାରେ ନେଟୱର୍କ ସମସ୍ୟା ଯୋଗୁଁ ଏହା ସହଜରେ ଉପଲବ୍ଧ ହୋଇପାରୁନି । କାରଣ ଅଧିକାଂଶ ଗାଁକୁ ଏବେ ବି ମୋବାଇଲ୍ ନେଟୱର୍କ ଅପହଞ୍ଚ । ଏଭଳି ସ୍ଥିତିରେ ଏହି ମଡେଲ୍ ଅପହଞ୍ଚ ଗାଁ ଗୁଡ଼ିକରେ ପହଞ୍ଚିବ କେମିତି? ଗ୍ରାମାଞ୍ଚଳ ଲୋକ ହିଁ ଅଧିକାଂଶ ବଜ୍ରପାତ ଜନିତ କ୍ଷୟକ୍ଷତିର ସାମ୍ନା କରୁଛନ୍ତି । ତେଣୁ ଏହାକୁ ଗାଁ ଗାଁରେ ପହଞ୍ଚାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।
ଭାରତ ଫୋରକାଷ୍ଟ ସିଷ୍ଟମ୍ ମଡେଲର ତଥ୍ୟକୁ ପୂରା ବିଶ୍ବକୁ ସେୟାର କରାଯିବ । ଗବେଷଣା କ୍ଷେତ୍ରରେ ଏହି ମଡେଲ ବିଶ୍ବବ୍ୟାପୀ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି ।