କନକ ବ୍ୟୁରୋ : ଜୁଲାଇ ୯ ତାରିଖ ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦର ଡାକରା ଦେଇଛି ମିଳିତ ଟ୍ରେଡ୍ ୟୁନିୟନ । ତେଣୁ ଏହି ଷ୍ଟ୍ରାଇକକୁ ନେଇ ପ୍ରଥମେ ଜାଣିବା ଆସନ୍ତା କାଲି କ'ଣ ଖୋଲା ରହିବ ଓ କ'ଣ ବନ୍ଦ ରହିବ । ଏହି ଷ୍ଟ୍ରାଇକରେ ଆସନ୍ତା କାଲି ଦେଶର ସମସ୍ତ ଘରୋଇ ଓ ଜାତୀୟକରଣ ବ୍ୟାଙ୍କ ବନ୍ଦ ରହିବ । କାରଣ ବ୍ୟାଙ୍କ କର୍ମଚାରୀମାନେ ଏହି ଷ୍ଟ୍ରାଇକରେ ସାମିଲ ହେଉଛନ୍ତି ।
ଦେଶର ୧୦ ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏହି ବନ୍ଦ ଡାକରା ଦେଇଥିବାରୁ ସେମାନଙ୍କ ସହଯୋଗୀ ସଂଗଠନ ବ୍ୟାଙ୍କ, ବୀମା, ପୋଷ୍ଟାଲ, କୋଇଲା ମାଇନ୍ସ, ହାଇୱେ କର୍ମଚାରୀ ସଂଘ, ନିର୍ମାଣ ସଂଗଠନ, ପରିବହନ ସଂଗଠନ ପ୍ରମୁଖ ଏହି ଷ୍ଟ୍ରାଇକରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି ।
ଜାଣିବା କାହିଁକି ଏ ଆନ୍ଦୋଳନ ?
ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣ ନୀତି ବିରୋଧରେ ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି । ଟ୍ରେଡ୍ ୟୁନିୟନଗୁଡିକର ଅଭିଯୋଗ ରହିଛି କି, କେନ୍ଦ୍ର ସରକାର ଦେଶରେ ଶ୍ରମିକମାନଙ୍କ ଅଧିକାରକୁ ଗୌଣ କରି ବିଶେଷ ଲାଭ କର୍ପୋରେଟ ହାଉସ ଓ ପୁଞ୍ଜିପତିମାନଙ୍କୁ ଲାଭ ଦେଉଛନ୍ତି । ବିଶେଷ କରି କେନ୍ଦ୍ର ସରକାର ଆଣିଥିବା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋଡକୁ ବାତିଲ କରିବାକୁ ସଂଗଠନ ଦାବି କରିଛି । କେବଳ ଶ୍ରମିକ ଓ କର୍ମଚାରୀ ନୁହଁନ୍ତି ଏହି ଷ୍ଟ୍ରାଇକରେ କୃଷକ ଓ ଶ୍ରମିକମାନେ ମଧ୍ୟ ସାମିଲ ହେବେ । ଅନୁମାନ କରାଯାଉଛି କି, ଦେଶରେ ୩୦ ରୁ ୩୫ କୋଟି କର୍ମଚାରୀ ଏହି ଆନ୍ଦୋଳନକୁ ସମର୍ଥନ କରି ଆସନ୍ତା କାଲି ରାଜରାସ୍ତାକୁ ଓହ୍ଲାଇବେ ।
କେଉଁ କେଉଁ ସେକ୍ଟର ପ୍ରଭାବିତ ହେବ
ଆସନ୍ତା କାଲି ହେବାକୁ ଥିବା ଷ୍ଟ୍ରାଇକରେ ଅନେକ ସେକ୍ଟର ପ୍ରଭାବିତ ହେବ । ଯେମିତି କି, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ସେକ୍ଟର, ଡାକ ବିଭାଗ, କୋଲ୍ ମାଇନ୍ସ ଓ ଫ୍ୟାକ୍ଟ୍ରି, ପରିବହନ ।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ସ୍କୁଲ, କଲେଜ, ସରକାରୀ ଅଫିସ, ବସ୍, ରେଳ ସେବା, ବିମାନ ସେବା, ବଜାର, ମେଡିକାଲ ଭଳି ଜରୁରୀ ସେବା ଖୋଲା ରହିପାରେ ।
Follow Us