କନକ ବ୍ୟୁରୋ: ତିଗିରିଆର ଭଣ୍ଡବାବା କୈବଲ୍ୟ ଜାନିର ଗୋଟିଏ ପରେ ଗୋଟିଏ କାରନାମା ଏବେ ସାମ୍ନାକୁ ଆସୁଛି । କେମିତି ଯୁବତୀକୁ ଅପହରଣ କରିବାକୁ ବାବା ଯୋଜନା କରିଥିଲା। କେମିତି ଗ୍ରହ ଶାନ୍ତି କଥା ପରିବାର ଲୋକଙ୍କୁ ଭୁତେଇ ଥିଲା । ହୋମଯଜ୍ଞ ଆଳରେ ଝିଅଙ୍କ ପରିବାର ସହ ଘନିଷ୍ଠତା ବଢାଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ପରିବାର ଉପରୁ ଅନିଷ୍ଟ ଦୂର କରିବାକୁ ମିଛ ପ୍ରତିଶ୍ରୁତି ଦେଇଥିଲା। ସେହି ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି ।
ସୂଚନା ମୁତାବକ, ଯୁବତୀଙ୍କୁ ଦେଖିବା ପରଠୁ ପୂଜା ଆଳରେ ବାରମ୍ୱାର ଆସିଥିଲା ଭଣ୍ଡ ବାବା କୈବଲ୍ୟ ଜାନି । ଆଉ ଯୁବତୀଙ୍କ ବାପା-ମାଆ ଭଣ୍ଡର ଚାଲ ବୁଝିନପାରି ତାକୁ ତ୍ରାଣକର୍ତ୍ତା ବୋଲି ଭକ୍ତି କରୁଥିଲେ । ଯାହାଙ୍କ ଘରେ ଯଜ୍ଞ କଲା, ସେହି ଘରର ଝିଅକୁ ଅପହରଣ କରି ନେଇଗଲା ତିଗିରିଆର ଭଣ୍ଡ ବାବା କୈବଲ୍ୟ ଜାନି । ଅଭିଯୋଗ ପରେ ଭଣ୍ଡବାବା କୈବଲ୍ୟ ଜାନିଙ୍କୁ ଢେଙ୍କାନାଳ ସଦର ପୋଲିସ ଗିରଫ କଲା ସତ କିନ୍ତୁ ପରେ ଛାଡି ଦେଇଛି । ଯାହାକୁ ନେଇ ଝିଅର ପରିବାର ଓ ଗାଁରେ ଅସନ୍ତୋଷ ଖେଳି ଯାଇଇଛି ।
ସେପଟେ ପୋଲିସର କହିବା କଥା ବାବା ବିରୋଧରେ ଯୁବତୀ କୌଣସି ଅଭିଯୋଗ କରିବାକୁ ମନା କରି ଦେଇଛି । ଅନ୍ୟପଟେ ଝିଅଙ୍କ ବାପା-ମାଙ୍କ ଅଭିଯୋଗ ତାଙ୍କ ଝିଅଙ୍କୁ ବାବା ମନ୍ତ୍ରତନ୍ତ୍ର କରି ବଶୀଭୂତ କରିଦେଇଛି । ଏପରିକି ଝିଅକୁ ବାବା ମନ୍ତ୍ରଯନ୍ତ୍ର କରି ଫସେଇ ଦେଇଥିବା ସନ୍ଦେହରେ ଝିଅର ପୋଷାକ ଓ ବାବା ପୂର୍ବରୁ ଦେଇଥିବା ସାମଗ୍ରୀକୁ ପୋଡି ଦେଇଛନ୍ତି । ଏବେ ପରିବାର ଲୋକ ଅଭିଯୁକ୍ତ ବାବାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।