Rathajatra Special 2025 : ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ଭକ୍ତ ସାଲବେଗ

Advertisment

‘ଜଗବନ୍ଧୁ ହେ ଗୋସାଇଁ ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।’ ସେହି ବର୍ଷ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ପଥରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ବଳଗଣ୍ଡି ନିକଟରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅଟକି ରହିଥିଲା ।

‘ଜଗବନ୍ଧୁ ହେ ଗୋସାଇଁ ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।’ ସେହି ବର୍ଷ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ପଥରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ବଳଗଣ୍ଡି ନିକଟରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅଟକି ରହିଥିଲା ।

Bhakt Salabeg

Bhakt Salabeg Photograph: (google)

କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ନାନା ଅଲୌକିକ ଘଟଣାମାନ ଘଟିବାର ଅନେକ ପ୍ରମାଣ ମିଳେ । ଭକ୍ତର ମାନ ରକ୍ଷା କରିବା ପାଇଁ କେତେବେଳେ ଭଗବାନ ବଳରାମ ଦାସଙ୍କ ବାଲି ରଥରେ ବିଜେ କରିଛନ୍ତି ତ କେତେବେଳେ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ଭକ୍ତ ଜଗନ୍ନାଥ ଦାସଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଛନ୍ତି ତ କେତେବେଳେ ଭକ୍ତର ଭୋକ ଦୂର ପାଇଁ ନିଜକୁ ଅର୍ପିତ ସୁନାଥାଳିର ଦିବ୍ୟଅନ୍ନ ବଢ଼ାଇ ଦେଇଛନ୍ତି ଭକ୍ତ ବନ୍ଧୁ ମହାନ୍ତିଙ୍କର ହାତକୁ , ଦୂରରେ ଥାଇ ଭକ୍ତ ଦାସିଆ ବାଉରୀର ନଡ଼ିଆକୁ ଗ୍ରହଣ କରିଛନ୍ତି ନିଜର ମହାବାହୁ ବଢ଼ାଇ । ଗୀତଗୋବିନ୍ଦ ଶୁଣିବା ପାଇଁ ସୁଦୂର ପଲ୍ଲୀରେ ବାଇଗଣ ତୋଳୁଥିବା ଅବସ୍ଥାରେ ଗୀତଗୋବିନ୍ଦ ବୋଲୁଥିବା ବୁଢ଼ୀର ବାଇଗଣ କିଆରୀରେ ହାଜର ହୋଇଛନ୍ତି । ଗର୍ବୀର ଗର୍ବ ଚୁର୍ଣ୍ଣ ପାଇଁ କେତେବେଳେ ଅଟକି ରହନ୍ତି ତ ରଥ ଉପରେ । କେତେବେଳେ ଭକ୍ତ ହାତର ସ୍ପର୍ଶ ପାଇ ମାନ ଭାଙ୍ଗନ୍ତି ମାନଗୋବିନ୍ଦ । ମହାପ୍ରଭୁଙ୍କ ମହାନ ଲୀଳା ବୁଝିବା ସାଧାରଣ ମାନବ ପକ୍ଷେ ଅସମ୍ଭବ ।

RATHA salabega
RATHA salabega Photograph: (google)

ସେ ଭାବକୁ ନିକଟ , ଅଭାବକୁ ଦୂର । ଯିଏ ତାଙ୍କୁ ଯେପରି ଭଜିଛି ସେ ସେପରି ତାଙ୍କୁ ପାଇଛି । ଯିଏ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଛି ସେ ସେହି ରୂପରେ ଦେଖିବାକୁ ପାଇଛି । ସିଏ ପରା ଜଗତରନାଥ ଜଗନ୍ନାଥ ଏହା ନ କରନ୍ତେ ବା କିପରି? ତାଙ୍କରି ଭକ୍ତ ସାଲବେଗ । ମାତା ତାଙ୍କର ହିନ୍ଦୁ ରମଣୀ ହୋଇଥିଲେ ମଧ୍ୟ ପିତା ଥିଲେ ମୋଗଲ ସୁବେଦାର ଲାଲବେଗ । ସାଲବେଗ ଯୁବକ ଅବସ୍ଥାରେ ଏକଦା ଭୀଷଣ ଭାବରେ କ୍ଷତାକ୍ତ ଓ ପୀଡ଼ିତ ହୋଇଥିଲେ । ଯେତେ ଔେଷଧ ଲଗାଇଲେ ମଧ୍ୟ କ୍ଷତର ଉପଶମ ହେଲା ନାହିଁ । ନିଜ ମା’ଙ୍କ ପରାମର୍ଶକ୍ରମେ ବୃନ୍ଦାବନ ବିହାରୀଙ୍କୁ ଉପାସନା କରି ବ୍ୟାଧିମୁକ୍ତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ କରୁଣାରୁ ମୃତ୍ୟୁମୁଖରୁ ରକ୍ଷା ପାଇଥିବାରୁ ନିଜର ସମଗ୍ର ଜୀବନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ସମର୍ପଣ ପୂର୍ବକ ସନ୍ନ୍ୟାସୀ ଜୀବନଯାପନ କରିବାକୁ ସ୍ଥିର କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଶ୍ରୀକ୍ଷେତ୍ରରେ ଆସି ଅବସ୍ଥାନ କରିଥିଲେ । ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସାଲବେଗ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବହୁ ଜଣାଣ, ଭଜନ ରଚନା କରିଥିଲେ ଓ ତାହାକୁ ଗାଉଥିଲେ ମଧ୍ୟ । ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ମଧ୍ୟ ବୃନ୍ଦାବନ ଯାଇ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ତାଙ୍କର ବଳବତ୍ତର ହୋଇ ଉଠିଥିଲା । ଶ୍ରୀଜଗନ୍ନାଥଙ୍କ ପ୍ରତି ସାଲବେଗଙ୍କର ଥିଲା ପ୍ରଗାଢ଼ ଭକ୍ତି । ଜାତିରେ ଯବନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ନ ଥିବାରୁ ପ୍ରତିବର୍ଷ ରଥଯାତ୍ରାରେ ରଥାରୁଢ଼ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରୁଥିଲେ ।

salabega
salabega Photograph: (GOOGLE)

ଏକଦା ସାଲବେଗ ବୃନ୍ଦାବନ ଯାଇ ସେଠାରେ ପ୍ରାୟ ବର୍ଷେ ଯାଏଁ ରହିବା ପରେ ରଥଯାତ୍ରା ସମୟ ପାଖେଇ ଆସିବାରୁ ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଅସୁସ୍ଥ ହୋଇ କିଛି ଦିନ ବିତିଗଲା । ରଥଯାତ୍ରା ସମୟ ହେଲା କିନ୍ତୁ ଶ୍ରୀକ୍ଷେତ୍ରଠାରୁ ସେ ଥିଲେ ଅନେକ ଦୂରରେ । ବାହୁଡ଼ା ଯାତ୍ରା ଶେଷ ମଧ୍ୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିବାର ଆଶା ନ ଥ‌ିବାରୁ ମନ ତାଙ୍କର ଆକୁଳିତ ହୋଇଉଠିଲା । ଚିତ୍ତ ତାଙ୍କର ଆନ୍ଦୋଳିତ ହେଲା । କରୁଣ ସ୍ୱରରେ ମନର ଆବେଗ ନେଇ ପଥରେ ଗାଇଲେ-

‘ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।’

ସେହି ବର୍ଷ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ପଥରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ବଳଗଣ୍ଡି ନିକଟରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅଟକି ରହିଥିଲା । ଭକ୍ତ ସାଲବେଗ ଶ୍ରୀକ୍ଷେତ୍ରରେ ପହଞ୍ଚି ସେହିଠାରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ନନ୍ଦିଘୋଷ ଚକ ଗଡ଼ି ଚାଲିଥିଲା ଶ୍ରୀମନ୍ଦିର ଅଭିମୁଖେ । ସାଲବେଗ ନିଜକୁ ଧନ୍ୟ ମଣିବା ସଙ୍ଗେ ସଙ୍ଗେ ସେହିଦିନଠାରୁ ବଡ଼ଦାଣ୍ଡର ସେହିଠାରେ (ଯେଉଁଠାରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଦର୍ଶନ ଦେଇଥିଲେ) ନିଜର ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ । ତାଙ୍କର ପରଲୋକ ଗମନ ପରେ ସେହିଠାରେ ତତ୍‌କାଳୀନ ରାଜାଙ୍କ ନିର୍ଦ୍ଦେଶରେ ତାଙ୍କୁ ସମାଧି ଦିଆଯାଇଥିଲା । ସେହିଠାରେ ସାଲବେଗଙ୍କ ସମାଧି ପୀଠ ଅବସ୍ଥିତ ।

salbeg
salbeg Photograph: (google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe