କନକ ବ୍ୟୁରୋ: ରାହୁଲ ଶୁଣିଲେ ନେତାଙ୍କ ମନଖୋଲା କଥା । କହିଲେ ଅତୀତକୁ ଭୁଲ, ଆଗକୁ ବଢ଼, ଲଢ଼େଇ କର । ଭକ୍ତ କରୁଛନ୍ତି ଆଗାମୀ ରଣନୀତି । କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ କଂଗ୍ରେସ ଶିବିରରେ ହଜାରେ ଗୁଣ ଜୋଶ ବଢ଼େଇ ଦେଇଛି । ନେତା ଉତ୍ସାହିତ ହୋଇ ରାହୁଲଙ୍କ ରଣନୀତିରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଏବେଠୁ ସ୍ୱପ୍ନ ଦେଖିଲେଣି । ପଚିଶ ବର୍ଷ ଭିତରେ କଂଗ୍ରେସର ଏମିତି ସମାବେଶ ହେଇନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ବର୍ଷ ବର୍ଷ ଧରି କ୍ଷମତାରେ ନ ଥାଇ ମଧ୍ୟ ସମାବେଶରେ ଏତେ ଲୋକଙ୍କୁ ଦେଖି ଖୁସି ହେଇଛନ୍ତି ରାହୁଲ । ଏଥିସହ କଂଗ୍ରେସ ଭବନରେ ବସିଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡିଶା ନେତାଙ୍କୁ ରାହୁଲ ଦେଇଛନ୍ତି ପଞ୍ଚାୟତ ନିର୍ବାଚନ ଦଖଲର ଟାର୍ଗେଟ ।
ରାହୁଲ ଟାକ୍ସ ଦେଇ ଯିବା ପରେ ଆଗାମି ରଣନୀତି ପ୍ରସ୍ତୁତ କରୁଛନ୍ତି ପିସିସି ସଭାପତି ଭକ୍ତ ଦାସ । ନେତାମାନଙ୍କ ସହ ବୈଠକ କରି ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛନ୍ତି। ଏଥିସହ ଭକ୍ତ କହିଛନ୍ତି, ଅକ୍ଟୋବରରେ ସଂଗଠନ ସୃଜନ କାର୍ଯ୍ୟକ୍ରମରେ ପୁନର୍ବାର ଓଡ଼ିଶା ଆସିବେ ରାହୁଲ । ଏହାପରେ ଗଞ୍ଜାମ ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାହୁଲଙ୍କୁ ନେଇ ୧୦ଟି ସମାବେଶ କରିବାକୁ ଯୋଜନା କରିଛି କଂଗ୍ରେସ ।
ଶୁକ୍ରବାର କଂଗ୍ରେସ ଭବନରେ ଦୁଇ ଘଣ୍ଟା ରହିଥିଲେ ରାହୁଲ । ରାଜନୈତିକ ବ୍ୟାପାର କମିଟି ବୈଠକରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କଲେ । ଏହା ପରେ ବିଧାୟକ ମାନଙ୍କ ସହ ବୈଠକରେ ରାଜ୍ୟ ପ୍ରସଙ୍ଗରେ ଅନେକ କଥା ଶୁଣିଲେ । ପିଏସି ବୈଠକରେ ଓଡିଶା ପ୍ରସଙ୍ଗରେ ପାଞ୍ଚ ଜଣ ନେତାଙ୍କ ଠାରୁ ମତାମତ ନେଲେ ରାହୁଲ । ସବୁ ଶୁଣି ସାରିବା ପରେ ନେତାଙ୍କୁ ଗୁରୁମନ୍ତ୍ର ଦେଇକି ଯାଇଛନ୍ତି ରାହୁଲ । ଏକାଠି ହୋଇ ହୋଇ କାମ କର । ଅତୀତକୁ ଭୁଲି ଆଗକୁ ବଢ଼ । ରାଜ୍ୟରେ ଘଟୁଥିବା ସବୁ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଆନ୍ଦୋଳନ କର । ଲୋକଙ୍କ ସ୍ୱାର୍ଥରେ କିଛି ସାଲିସ୍ କରନାହିଁ ।