କନକ ବ୍ୟୁରୋ : ଦାନା ପ୍ରଭାବରେ ହୋଇଥିବା ବର୍ଷାରେ ଧସିଲା ଭଦ୍ରକ ନେହେରୁ ଷ୍ଟାଡିୟମର ଗ୍ୟାଲେରି ଛାତ । ଖାଲି ସେତିକି ନୁହେଁ ଗ୍ୟାଲେରି ତଳେ ବର୍ଷା ପାଣି ଜମି ଷ୍ଟାଡିୟମଟି ଏକ ସୁଇମିଙ୍ଗ ପୁଲର ଭ୍ରମ ସୃଷ୍ଟି କରିଛି । ଭଦ୍ରକ ସହରକୁ ବାତ୍ୟା ଦାନାର ପ୍ରଭାବ ସେତେ ପଡିନାହିଁ । କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ଗ୍ୟାଲେରି ଛାତ ଅଳ୍ପ ଦିନରେ ଭୁଶୁଡି ପଡିଲା ବୋଲି ଅଭିଯୋଗ ହେଉଛି । ଭଦ୍ରକ ନେହେରୁ ଷ୍ଟାଡିୟମରେ ଗତ କିଛି ମାସ ପୂର୍ବରୁ ନିର୍ମାଣ ହୋଇଥିବା ୧୫୦ ଫୁଟର ଗ୍ୟାଲେରି ଛାତ ଧସିଯାଇଛି ।

Advertisment

ପୁର୍ବରୁ ଥିବା ବିଜେଡି ସରକାର ସମୟରେ ଫାଇଭ-ଟି ଯୋଜନାରେ ଭଦ୍ରକକୁ କ୍ରୀଡା କ୍ଷେତ୍ରରେ ଦେଇଥିବା କୋଟି କୋଟି ଟଙ୍କା ଏବେ ପାଣିରେ ପଡିଛି । ଷ୍ଟାଡିୟମ୍ ଚାରିପାଟେ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇଥିଲା । ଷ୍ଟାଡିୟମ ଚାରିପାଖରେ ଫେବର୍ ପଡ଼ି ପଡ଼ିଆ ମଝିରେ ଦାମୀ ଘାସ ବିଛା ଯାଇଥିଲା । ୨୦୨୨ ମସିହାରେ ଏହି ନେହରୁ ଷ୍ଟାଡିୟମ୍ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ସେହି ସମୟରୁ ଷ୍ଟାଡିୟମର ଉନ୍ନତି କରଣ ପାଇଁ ଦାୟିତ୍ଵ ନେଇଥିଲେ ପୁର୍ବତନ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ଏବେ ଷ୍ଟାଡିୟମଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ପଡ଼ିରହିଛି । ଉନ୍ନତି କରଣ ନାମରେ କିଏ ଟଙ୍କା ହରିଲୁଟ କଲା ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ସାଧାରଣରେ ଦାବି ହେଉଛି ।