କନକବ୍ୟୁରୋ : ଅପହରଣର ୬ ଦିନ ପରେ କେନାଲରୁ ମିଳିଲା ଗଳିତ ଶବ। ଭଦ୍ରକ ବାସୁଦେବପୁର ପୌରପାଳିକାର ଏକ ନମ୍ବର ୱାର୍ଡର ଜଣେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । କେହି ଦୁର୍ବୁତ୍ତ ନାବାଳିକାକୁ ଅପହରଣ ପରେ ମାରି କେନାଲ ମଧ୍ୟକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଅପରାଧୀ କିଏ ଓ କାହିଁକି ମାରିଲା ଏଯାଇ ପୋଲିସ ସନ୍ଦେହ ଦୂର କରିନାହିଁ । ଗତକାଲି କୋଷ୍ଟକେନାଲ ନାଳୀରେ ଓଡ୍ରାଫ୍ ଏବଂ ଫାୟାର ମ୍ୟାନ ସକାଳେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେଶନ ।
ଖୋଜାଖୋଜି କରିବା ପର ଘାସ ବୁଦାରେ ଶବ ପଡିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଛଅ ଦିନ ଧରି ପୋଲିସ ଛାନ୍ ଭିନ୍ କରିବା ପରେ ଶବ ଜବତ କରିଛି ପୁଲିସ । ସୂଚନା ଅନୁସାରେ, ବାସୁଦେବପୁର ପୌରପାଳିକାର ୧ ନମ୍ବର ୱାର୍ଡ ରାଧାନାଥପୁର ଆଡିଆର ୯ ବର୍ଷର ନାବାଳିକା ଅପହରଣ କରାଯାଇଥିଲା । ସନ୍ଧ୍ୟାରେ ଘରକୁ ଲାଗି ରାସ୍ତା ପାଖରେ ଶୌଚ କରିବାକୁ ଯାଇଥିବା ବେଳେ ନାବାଳିକାକୁ କେହି ଅପହରଣ କରିନେଇଥିବା ସନ୍ଦେହ କରି ଚୂଡାମଣୀ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଥିଲା ।
ବହୁ ଖୋଜାଖୋଜି ପରେ ବି ନାବାଳିକା ନମିଳିବା ଘଟଣା ଗାଁରେ କୋକୁଆ ଭୟ ଖେଳାଇଥିଲା । ଘଟଣାର ତଦନ୍ତ କରିବାକୁ ଭଦ୍ରକ ଏସପି ମନୋଜ କୁମାର ରାଉତ ପହଞ୍ଚି ତଦନ୍ତ କରି ସ୍ବତନ୍ତ୍ର ଟିମ ଗଠନ କରିଥିଲେ । ଗତକାଲି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ରାଧାନାଥପୁର ଆଡିଆରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଥିଲେ । ତେବେ ସକାଳେ ରାଧାନାଥପୁର ଆଡିଆ କୋଷ୍ଟକେନାଲ ନାଳୀରେ ଖୋଜାଖୋଜି କରୁଥିବା ବେଳେ ଶବ ଉଦ୍ଧାର ହୋଇଛି । ତେବେ କାହିଁକି ଓ କିଏ ଅପହରଣ କଲା ଏବଂ ହତ୍ୟା କଲା ସେନେଇ ସଠିକ ତଥ୍ୟ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ କହିଛି ପୁଲିସ ।