କନକ ବ୍ୟୁରୋ: ବିର୍ଲ୍ଲା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏମବିଏ (୨୦୨୫-୨୭) ବ୍ୟାଚର ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଏହାର ଗୋଠପାଟଣା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସାହ ଓ ଶୈକ୍ଷିକ ମନୋଭାବ ସହିତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ସ୍ନାତକତ୍ତୋର ଯାତ୍ରାର ଆରମ୍ଭ ଥିଲା । ଏହି କାର୍ଯ୍ୟକ୍ରମରେ ଆକ୍ସେଞ୍ଚର (ଷ୍ଟ୍ରାଟେଜି ଏବଂ କନ୍ସଲଟିଂ)ର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜିୟୁ କୂଳଗୀତ ପରିବେଷଣ କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଡିନ୍ ପରମେଶ୍ୱର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସେ ଅତିଥି, ଅଭିଭାବକ ଓ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଶୃଙ୍ଖଳା, କଠିନ ପରିଶ୍ରମ, ନମ୍ରତା, ସ୍ଥିରତା ଏବଂ ସାଧାରଣ ଜ୍ଞାନ ଦ୍ୱାରା ମାର୍ଗଦର୍ଶନ କରାଇଥିଲେ ।
ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ବି.କେ ଦାସ ତାଙ୍କ ଅଭିଭାଷଣରେ ବିଶ୍ୱବିଦ୍ୟାଳୟର ମୂଲ୍ୟବୋଧ ଏବଂ ଏହାର ପରିବର୍ତ୍ତନଶୀଳ ଯାତ୍ରା ଉପରେ ଅଲୋକପାତ କରିଥିଲେ । ପୂର୍ବନତ ଛାତ୍ର କାଟେଶ୍ୱର କାର୍ତ୍ତିକ କ୍ୟାମ୍ପସ ଜୀବନରୁ କର୍ପୋରେଟ ଜଗତଙ୍କୁ ତାଙ୍କର ପରିବର୍ତ୍ତିତ ଜୀବନ ବିଷୟରେ କହିଥିବା ସହ ନୂତନ ବ୍ୟାଚକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସନ୍ଦୀପ ସିଂଙ୍କ ପ୍ରେରଣାଦାୟକ ଭାଷଣ ଯିଏ ଜଣେ କର୍ପୋରେଟ୍ ଲିଡର ଏବଂ ମାରାଥନ୍ ଧାବକ ଭାବରେ ତାଙ୍କର ଦୈତ ଭୂମିକାରୁ ଆଦୃତ ଅର୍ନ୍ତଦୃଷ୍ଟି ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷତା ପାଇଁ ପ୍ରୟାସ କରିବାକୁ ଉତ୍ସାହିତ କରି ସେ ସଫଳତାର ମୂଳଦୁଆ ଭାବରେ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ନମ୍ର ରହିବା, ନକାରତ୍ମତାକୁ ଏଡାଇବା, ସକାରତ୍ମକ ପ୍ରଭାବ ସହିତ ଯୋଡି ହୋଇ ରହିବାକୁ ତଥା ଦୃଢତା ଓ ସାଧୁତା ସହ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ ।
ବିଜିୟୁ କୁଳପତି ପ୍ରଫେସର କୂଳଭୁଷଣ ବାଲୁନି ଶିକ୍ଷାଗତ ଏବଂ ବୃତ୍ତିଗତ ଉତ୍କର୍ଷତା ପ୍ରତି ୟୁନିଭରସିଟିର ଅଟଳ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ ଅତ୍ୟାଧୁନିକ ଭିତ୍ତିଭୂମି, ସ୍ମାର୍ଟ ଶ୍ରେଣୀ ଗୃହ, ଆଧୁନିକ ପାଠାଗାରା ଓ ସୁସଜ୍ଜିତ ଆବାସିକ ସୁବିଧା ଉପରେ ଆଲୋକପାତ କରିଥିଲେ । ସ୍ନିଗ୍ଧା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବିଜିୟୁର ପ୍ରତିବଦ୍ଧତାର ପ୍ରତୀକ ଭାବେ ବୃକ୍ଷରୋପଣ ଅଭିଯାନ ସହିତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଆସନ୍ତା ୨୩ ତାରିଖରୁ ନୂତନ ବ୍ୟାଚ୍ ଏମବିଏ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଆରମ୍ଭ ହେବ ।