ବାପା .. ମନେଅଛି ପିଲାବେଳେ ମତେ ଜ୍ବର ହେଲେ ତୁମେ କେମିତି ସାରାରାତି ଅନିଦ୍ରା ରହି ମୋ ଦେହପା’ କଥା ବୁଝୁଥିଲ । ମୋ ମୁଣ୍ଡରେ ପଟି ଲଗାଇ ଔଷଧ ଖୁଆଇ ଦେଉଥିଲ । ଆଜି ତୁମର ବୟସ ବଢିଛି , ଖଟିଆରୁ ଓହ୍ଲାଇବା ବି ତୁମ ପାଇଁ କଷ୍ଟକର ହେଉଛି। ବାପା .. ମୁଁ ତୁମ ଦିବ୍ୟାଙ୍ଗ ପୁଅ , ମୋ ସାହାରା ଖଣ୍ଡେ ବାଡ଼ି ଆଉ ତିନିଚକିଆ ଗାଡ଼ି । କିନ୍ତୁ ତୁମ ସେବାରେ ମୁଁ ଜମା ବି ହେଳା କରିବିନି ବାପା । ଦିବ୍ୟାଙ୍ଗ ହେଲେ କ’ଣ ହେଲା ମୋ ଚଳନ୍ତା ଦିଅଁଙ୍କ ସେବା ମୁଁ ପାରୁ ପର୍ଯ୍ୟନ୍ତ କରିବି .. 

Advertisment

Fathers-day

ଏ ଥିଲା ୬୦ ବର୍ଷୀୟ ବୃଦ୍ଧ ଧୀରେନ୍ କୁମାର ସାହୁଙ୍କ ମନର କଥା । ଅଭାବ ଭିତରେ ପିଲାଟି ବେଳୁ ପୋଲିଓ ଆକ୍ରାନ୍ତ ଧୀରେନଙ୍କୁ ବାପା ଶତ୍ରୁଘ୍ନ ସାହୁ ସଂଘର୍ଷ କରି ପାଠ ପଢାଇ ମଣିଷ କରିଛନ୍ତି । ଧୀରେନଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ତାଙ୍କ ମା’ ଆରପାରିକୁ ଚାଲିଯାଇଥିଲେ । ଆଉ ସେତେବେଳେ ଦିବ୍ୟାଙ୍ଗ ଧୀରେନଙ୍କ ଉଭୟ ବାପା ଓ ମା’ର ଦାୟିତ୍ବ ତୁଲାଇଥିଲେ ଶତ୍ରୁଘ୍ନ । ଦିବ୍ୟାଙ୍ଗ ପୁଅର ଖାଦ୍ୟପେୟରୁ ଆରମ୍ଭ କରି ଯେତେବେଳେ ଯାହା ଦରକାର ହେଲା ଯୋଗାଇ ଦେଉଥିଲେ ବାପା। ଆଜି ସେହି ବାପାଙ୍କ ବୟସ ୯୨ ଛୁଇଁଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଚଲାବୁଲା କରିବାକୁ ଅକ୍ଷମ ବାପା ଖଟିଆରୁ ଓହ୍ଲାଇବାକୁ ମଧ୍ୟ ସାହସ ଜୁଟାଇ ପାରୁନାହାନ୍ତି । ଆଉ ଏହିଭଳି ସମୟରେ ସମାଜକୁ ପୁତ୍ର କର୍ତ୍ତବ୍ୟର ପରାକାଷ୍ଠାର ଉଦାହରଣ ଦେଇଛନ୍ତି ଧୀରେନ୍ । 

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଗରଜଙ୍ଗା ଗ୍ରାମ ପଂଚାୟତ ଅର୍ନ୍ତଗତ କୁଆଁରପାଳ ଗ୍ରାମରେ ବାସ କରନ୍ତି ୬୦ ବର୍ଷୀୟ ଧୀରେନ୍ ଏବଂ ୯୨ ବର୍ଷୀୟ ବାପା ଶତ୍ରୁଘ୍ନ । ଦିବ୍ୟାଙ୍ଗ ଧୀରେନ୍ ହାତରେ ବାଡ଼ି ଖଣ୍ଡିଏ ଧରି ଘରର ସବୁ କାମ କରିବା ସହ ରୋଷେଇ କରି ବାପାଙ୍କୁ ୩ ଓଳି ଖାଇବା ପାଇଁ ଦିଅନ୍ତି । ବାପାଙ୍କ ଦେହରେ ତେଲ ମାଲିସ୍ କରିବାଠୁ ଆରମ୍ଭ କରି , ମୁଣ୍ଡ କୁଣ୍ଡାଇଦେବା , ଖୁଆଇଦେବା , ଗାଧୋଇଦେବା ଆଦି ସବୁ କାମ କରନ୍ତି କଳିଯୁଗର ଏ ଶ୍ରବଣ କୁମାର । ଘରର ଆୟ କହିଲେ , ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲରେ ଯାଇ ଗ୍ରାମର କିଛି ପିଲାଙ୍କୁ ପାଠ ପଢାଇ ଦୁଇ ପଇସା ରୋଜଗାର କରନ୍ତି ଧୀରେନ୍ । ବଳକା ସମ୍ଭଳ କହିଲେ ବାପପୁଅଙ୍କ ମାସିକ ଭତ୍ତା ବାବଦରେ ମିଳୁଥିବା ୨୪୦୦ ଟଙ୍କା । ଏହି ଟଙ୍କାରେ ହିଁ କଷ୍ଟେମଷ୍ଟେ ଚଳିଯାଏ ବାପପୁଅଙ୍କ ଛୋଟ ସଂସାର । ଧୀରେନ୍ କୁହନ୍ତି , ମୋ ବାପା ହେଉଛନ୍ତି ମୋର ଭଗବାନ । ମୋ ଦେହ ଖରାପ ବେଳେ ବାପା ମୋର ସେବା କରିଥିଲେ । ମୋତେ ଲାଳନ ପାଳନ କରି ମଣିଷ କଲେ । ଆଜି ଯେତେବେଳେ ମୋର କର୍ତ୍ତବ୍ୟ କରିବା ସମୟ ଆସିଛି ମୁଁ ପଛଘୁଞ୍ଚା ଦେବି କେମିତି ? ମନ ଭିତରେ ପ୍ରେମର ସାଗର , ବାହାରେ ବୁନ୍ଦାଟିଏ ବି ଦେଖାଉନଥିବା ମଣିଷ ମୋ ବାପାଙ୍କ ସେବା ମୁଁ ଜୀବନ ଥିବା ଯାଏଁ ଏମିତି କରୁଥିବି ।