କନକ ବ୍ୟୁରୋ : ଆଜିର ଡିଜିଟାଲ୍ ଯୁଗରେ ଛୋଟ ପିଲାମାନେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ସହିତ ଅଧିକ ସମୟ ଧରି ଯୋଡ଼ି ହୋଇ ରହୁଛନ୍ତି । ମୋବାଇଲ୍‌ ଫୋନ୍‌ ସେମାନଙ୍କର ଏକ ପ୍ରକାର ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ ।  କମ୍ ବୟସର ପିଲା ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ବ୍ୟବହାର କରିପାରିବେ କିନ୍ତୁ ଏକ ସୀମିତ ପର୍ଯ୍ୟନ୍ତ । କାରଣ ଛୋଟ ପିଲାମାନେ ବହୁତ ସରଳ ହୋଇଥାଆନ୍ତି , ଯେଉଁଥିପାଇଁ ସାଇବର ଅପରାଧୀମାନେ ସହଜରେ ଟାର୍ଗେଟ୍‌ କରନ୍ତି । ସାଇବର ଅପରାଧୀମାନେ ପିଲାମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରନ୍ତି, ଯେପରିକି ବ୍ୟକ୍ତିଗତ ଡାଟା ଚୋରି, ମୋବାଇଲ୍ ଫୋନ୍ ମାଧ୍ୟମରେ ଟଙ୍କା ହଡ଼ପ ଏବଂ କେତେକ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଇଥାଆନ୍ତି।

Advertisment

ନିକଟରେ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି ଯେ ତାଙ୍କ ୧୩ ବର୍ଷୀୟ ଝିଅ ନିତାରା କୁମାରଙ୍କୁ ଅନଲାଇନ୍ ଭିଡିଓ ଗେମ୍ ଖେଳୁଥିବା ସମୟରେ ଜଣେ ଅଜଣା ବ୍ୟକ୍ତି ଅଶ୍ଳୀଳ ଫଟୋ ମାଗିଥିଲେ । ନିତାରା ତୁରନ୍ତ ଯାଇ ତାଙ୍କ ମାଆଙ୍କୁ କହି , ଏଥିରୁ ବର୍ତ୍ତିପାରିଥିଲେ । କିନ୍ତୁ ପ୍ରତିଦିନ ଏପରି ଘଟଣା ଘଟୁଛି ଯେଉଁଥିରେ ଛୋଟ ପିଲାମାନେ ସାଇବର ଅପରାଧୀଙ୍କ ଶିକାର ହୁଅନ୍ତି ।

NCRBର ରିପୋର୍ଟ ଅନୁସାରେ ଦେଶରେ ସାଇବର ଅପରାଧ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁଥିରେ ଶିଶୁମାନଙ୍କ ବିରୁଦ୍ଧରେ ଅପରାଧ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ୨୦୨୩ରେ ଶିଶୁମାନଙ୍କ ବିରୁଦ୍ଧରେ ସାଇବର ଅପରାଧର ପ୍ରାୟ ୧ ଲକ୍ଷ ୭୭ ହଜାର ୩୩୫ ମାମଲା ପଞ୍ଜିକୃତ ହୋଇଥିଲା । ଯାହାକି ପୂର୍ବ ବର୍ଷ ତୁଳନାରେ ୯.୨ ପ୍ରତିଶତ ବୃଦ୍ଧି ପାଇଛି । NCRB ରିପୋର୍ଟ ଅନୁଯାୟୀ, ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ଶିଶୁମାନଙ୍କ ବିରୁଦ୍ଧରେ ସାଇବର ଅପରାଧ ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଛି ।

ସାଇବର ଅପରାଧୀଙ୍କ ପାଇଁ ଛୋଟ ପିଲାମାନେ ସପ୍ଟ ଟାର୍ଗେଟ 

ସାଇବର ଅପରାଧୀମାନେ ସୋସିଆଲ ମିଡିଆ, ବିଭିନ୍ନ ଆପ୍ ଏବଂ ଅନଲାଇନ୍ ଗେମ୍ ଭଳି ପ୍ଲାଟଫର୍ମ ମାଧ୍ୟମରେ ଛୋଟ ପିଲାମାନଙ୍କୁ ଟାର୍ଗେଟ କରନ୍ତି । ବିଭିନ୍ନ ପ୍ରକାର ଲୋଭ ଦେଖାଇ ସେମାନଙ୍କ ପିତାମାତାଙ୍କ ବିଷୟରେ ବ୍ୟକ୍ତିଗତ ସୂଚନା ସଂଗ୍ରହ କରନ୍ତି । ତା'ପରେ ସେମାନେ ଏହି ସୂଚନାକୁ ଟଙ୍କା ଆଦାୟ, ବ୍ଲାକମେଲ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ବ୍ୟବହାର କରନ୍ତି । 

ତେବେ ଯଦି ଆପଣଙ୍କ ପିଲା ମଧ୍ୟ ଇଣ୍ଟରନେଟ୍‌ କି ମୋବାଇଲ୍‌ ଆଡିକ୍‌ଟେଡ୍‌ ତାଙ୍କୁ ପ୍ରଥମେ ଏଥିରୁ ନିବୃତ କରାନ୍ତୁ ଏବଂ ସାଇବର ଅପରାଧ ବିଷୟରେ କିଛି ଶିକ୍ଷା ମଧ୍ୟ ଦିଅନ୍ତୁ , ଯାହା ଫଳରେ ସେମାନେ ଛୋଟ ବେଳୁ ସଚେତନ ହେବେ । ଏହା ସତ୍ତ୍ୱେ ଯଦି ଆପଣଙ୍କ ପିଲା ସାଇବର ଅପରାଧର ଶିକାର ହୁଅନ୍ତି ତାହାକୁ ନ ଲୁଚାଇ ତୁରନ୍ତ ଥାନାରେ ଅଭିଯୋଗ କରନ୍ତୁ ।