କନକ ବ୍ୟୁରୋ : ଗାଡ଼ି ବିନା ଆଜିକାଲିର ଧାଁ ଦୌଡ଼ ଜୀବନ ଅସମ୍ଭବ । ସେ ଅଫିସ୍ ପାଇଁ ହେଉ ବା ବଜାରଘାଟ ଯିବା ପାଇଁ ହେଉ , ଖଣ୍ଡେ ଗାଡ଼ି ନ ଧରିଲେ ଆଜି କାଲି କେହି ଘରୁ ବାହାରକୁ ବାହାରୁନାହାନ୍ତି । ତେବେ ଗାଡ଼ି ଚାଲିବା ପାଇଁ ତେଲ ତ ନିହାତି ଆବଶ୍ୟକ । ସେଥିପାଇଁ ଆମେ ସମସ୍ତେ ଛୋଟ ହେଉ ବା ବଡ଼ ପେଟ୍ରୋଲ୍ ପମ୍ପକୁ ଯାଇ ତେଲ ପକାଇ ଥାଉ । ହେଲେ ଆମେ ଆପଣଙ୍କୁ କହି ରଖୁଛୁ ପେଟ୍ରୋଲ୍ ପମ୍ପରେ ତେଲ ପକାଉଥିଲେ ସାବଧାନ । କାରଣ, ଆପଣ ବି ହୋଇପାରନ୍ତି ଠକାମିର ଶିକାର । ନଗଦ ଟଙ୍କା ତ ଗଣି ଦେଇ ଆସିବେ କିନ୍ତୁ କିଛି ବାଟ ଗାଡ଼ି ଗଡ଼ିବା ପରେ ତେଲ ନଥିବ ଆଉ ହିନସ୍ତା ହେବାକୁ ପଡ଼ିବ । ଏହିପରି ଠକୁଥିବା ୨୨ଟି ପେଟ୍ରୋଲ ପମ୍ପ ୨ ବର୍ଷରେ ଧରାପଡ଼ିଲେଣି । ଏ କଥା ଆମେ କହୁନୁ , ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖୋଦ ଯୋଗାଣ ମନ୍ତ୍ରୀ ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ , ୨୦୨୪-୨୫ ରେ ଗତବର୍ଷ ୧୫ ଟି ଓ ଚଳିତ ବର୍ଷ ୭ ଟି ପେଟ୍ରୋଲ ପମ୍ପ ଧରା ପଡ଼ିଛନ୍ତି । ଗତବର୍ଷ ୧ ଲକ୍ଷ ୬୧ ହଜାର ଜରିମାନା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ୬୯ ହଜାର ଜରିମାନା ମଧ୍ୟ ଆଦାୟ ହୋଇଛି । କାରଣ ବାସ୍ତବରେ ଅନେକ ଛୋଟ ବଡ଼ ପେଟ୍ରୋଲ୍ ପମ୍ପରେ ଲୋକମାନଙ୍କ ସହିତ ଏପରି ଘଟିଛି ଯେ ସେମାନଙ୍କୁ ପ୍ରତି ଲିଟରରେ ୧୦୦-୨୦୦ ଗ୍ରାମ କମ୍ ତେଲ ମିଳିଥାଏ । ଏମିତିକି ମିଟରରେ ତ ସବୁକିଛି ଠିକ୍ ଦେଖାଏ କିନ୍ତୁ ଗାଡ଼ିରେ କମ୍ ପଡ଼େ । ତେବେ ଆଜି ଆମେ ଆପଣଙ୍କୁ ୫ଟି ଏପରି କଥା କହୁଛୁ, ଯାହାକୁ ଧ୍ୟାନରେ ରଖିଲେ ଆପଣଙ୍କୁ ପେଟ୍ରୋଲ୍ ପମ୍ପରେ ଠକାମି କିମ୍ବା କ୍ଷତିର ଶିକାର ହେବାକୁ ପଡ଼ିବ ନାହିଁ ।
କିପରି ଠକାମିରୁ ବର୍ତ୍ତିବେ ?
• ତେଲ ପକାଇବା ପୂର୍ବରୁ ମିଟର '୦'ରେ ଅଛି କି ନାହିଁ ଯାଞ୍ଚ କରନ୍ତୁ ।
• ନିର୍ଦ୍ଦିଷ୍ଟ ପରିମାଣରେ ତେଲ ପକାଇବାକୁ କୁହନ୍ତୁ ଏବଂ ମିଟରରେ ତାହା ସଠିକ୍ ଭାବେ ଦର୍ଶାଉଛି କି ନାହିଁ ଦେଖନ୍ତୁ ।
• ଠକାମିରୁ ବର୍ତ୍ତିବା ପାଇଁ ସବୁବେଳେ ଅଡ୍ ନମ୍ବରରେ ତେଲ ପକାନ୍ତୁ , ଯେମିତିକି ୧୦୦ ଟଙ୍କାର ତେଲ ନପକାଇ ୧୧୦ କିମ୍ବା ୧୨୦ ପକାନ୍ତୁ ।
• କିଛି ପମ୍ପରେ ରିମୋଟ କଣ୍ଟ୍ରୋଲ୍ ମାଧ୍ୟମରେ ତେଲ ପରିମାଣରେ ହେରଫେର କରାଯାଏ, ତେଣୁ ସତର୍କ ରୁହନ୍ତୁ ।
• ଯଦି କୌଣସି ପ୍ରକାର ସନ୍ଦେହ ହୁଏ, ତେବେ ମାପ ଓ ଓଜନ ବିଭାଗ କିମ୍ବା ଗ୍ରାହକ ହେଲ୍ପଲାଇନରେ ଅଭିଯୋଗ କରନ୍ତୁ ।
ତେବେ କାର କିମ୍ବା ବାଇକ୍ରେ ତେଲ ପକାଇବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଠକାମି ବଞ୍ଚାନ୍ତୁ ।