ବ୍ୟସ୍ତବହୁଳ ଜୀବନ ଭିତରେ ସପିଙ୍ଗ୍ କରିବା ପାଇଁ ସମୟ ବାହାର କରିବା ଏକ କାଠିକର ପାଠ । ଛୁଟିବାରକୁ ଛାଡ଼ି ଦେଲେ ବଜାରକୁ ଯାଇ ସପିଙ୍ଗ୍ କରିବା ଯେମିତି ଏକ ସ୍ୱପ୍ନ । କିନ୍ତୁ ସପିଙ୍ଗର ସଉକ୍ ରଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅନଲାଇନ୍ ପ୍ଲାଟଫର୍ମ ବରଦାନ ସାଜିଛି । ହାତରେ ମୋବାଇଲ୍ କିମ୍ବା ଲାପଟପ୍ ଧରି ସାଇଟ୍ ଖୋଲି ମନମୁତାବକ ପୋଷାକ କିମ୍ବା ଅନ୍ୟାନ୍ୟ ଖାଦ୍ୟପଦାର୍ଥ , ଆସବାବପତ୍ରର ତାଲିକା ଭିତରୁ ସବୁଠୁ ଭଲ ଦ୍ରବ୍ୟଟି ଆମେ ବାଛିଥାଉ । ଅର୍ଡର କରିବାର କିଛି ଦିନ ଭିତରେ ଡେଲିଭରି ବଏ ଆସି ଘରେ ଆପଣଙ୍କ ଜିନିଷ ପହଂଚାଇଦିଏ । ହେଲେ ଏଥିରେ ମଧ୍ୟ ବେଳେବେଳେ ଠକାମୀରେ ଲୋକ ପଡ଼ିଯାନ୍ତି । ଆଜିକାଲି ଇ-କମର୍ସ ପୋର୍ଟାଲ୍ ଇନଷ୍ଟାଗ୍ରାମ୍ ପ୍ଲାଟଫର୍ମରେ ମଧ୍ୟ କିଛି ସାଇଟ୍ ନିଜ ପ୍ରଡକ୍ଟକୁ ବିକ୍ରି କରୁଛନ୍ତି । ରିଲ୍ ଦେଖୁ ଦେଖୁ ଅଚାନକ ଆଖି ଆଗକୁ ଏକ ଚିତ୍ତାକର୍ଷକ ପ୍ରଡକ୍ଟ ଚାଲିଆସେ । ଆଉ ତା’ପରେ ପ୍ରଡକ୍ଟ ମାୟାରେ ପଡ଼ି ବାଏ ନାଓର ବଟନ୍ ଏବଂ ବାୟୋରେ ଲିଙ୍କ୍ ଦେଖି ପ୍ରଡକ୍ଟ କିଣିବାକୁ ମନ ଉଚ୍ଛନ ହୁଏ । 

Shopping
ଇଷ୍ଟାଗ୍ରାମ୍ ବର୍ତ୍ତମାନ ସମୟରେ ସପିଙ୍ଗର ନୂଆ ଆଡ୍ଡା ପାଲଟିଛି । କିନ୍ତୁୁ ଅଧିକାଂଶ ସମୟରେ ଏହି ସାଇଟରେ ଗ୍ରାହକ ଠକାମୀର ଶିକାର ହୁଅନ୍ତି । ତେବେ ଆଜି ଆମେ ଆପଣଙ୍କ ସୁବିଧା ପାଇଁ ଏମିତି ଏକ ତାଲିକା ତିଆରି କରିଛୁ ଯାହା ଆପଣଙ୍କୁ ଠକାମୀରୁ ବଂଚାଇପାରିବ । ଆପଣ ପ୍ରଡକ୍ଟର ବାଏ ନାଓ ଲିଙ୍କରେ କ୍ଲିକ୍ କରି କମ୍ପାନୀର ପୋର୍ଟାଲରେ ପହଂଚିଗଲେ । ପ୍ରଡକ୍ଟକୁ ପରେ ଦେଖିଲେ ଚଳିବ ପ୍ରଥମେ ସିଓଡ଼ି (କ୍ୟାସ୍ ଅନ୍ ଡେଲିଭରି) ଅଛି କି ନାହିଁ ଦେଖନ୍ତୁ । ଯଦି ଏହି ଅପ୍ସନ୍ ନାହିଁ ତାହେଲେ ତୁରନ୍ତ ପୋର୍ଟାଲକୁ ବ୍ଲକ୍ କରନ୍ତୁ । ଅନେକ ପୋର୍ଟାଲର କିଛି ପ୍ରଡକ୍ଟରେ ସିଓଡ଼ି ଅପ୍ସନ୍ ନଥାଏ କିନ୍ତୁ ପିନ୍ କୋର୍ଡ ଥାଏ । ଠକାମୀରୁ କିଛି ମାତ୍ରାରେ ବଂଚାଇଥାଏ ଏହି ସିଓଡ଼ି ଅପ୍ଲନ୍ । 

Scam
ପ୍ରତିଟି ପ୍ରଡକ୍ଟର ଏକ ଦାମ୍ ରହିଥାଏ । କିନ୍ତୁ ଆଖିକୁ ଭଲ ଦେଖାଯାଉଥିବା ପ୍ରଡକ୍ଟଟି ଯଦି କମ୍ ଦାମରେ ମିଳୁଥାଏ ତାହେଲେ କିଛି ଘୋଟାଲା ଅଛି । ଗତ କିଛି ଦିନ ତଳେ ଜଣେ ବ୍ୟକ୍ତି ସ୍ମାର୍ଟଫୋନ୍ କିଣିବା ପାଇଁ ସର୍ଚ୍ଚ କରୁଥିଲେ ଯାହା ୮ ହଜାର ଟଙ୍କା କମ୍ ଦେଖାଉଥିଲା । ସର୍ଚ୍ଚ କରିବା ପରେ ଜଣାପଡ଼ିଲା ଯେ ଏହା ଭାରତରେ ତିଆରି ଫୋନ୍ ନୁହେଁ । କମ୍ପାନୀ ଇଣ୍ଟରନ୍ୟାସନାଳ୍ ୱାରେଣ୍ଟି କିମ୍ବା ଅଫର୍ ମଧ୍ୟ ଦେଉନାହିଁ । ଫୋନ୍ କିଣିଥିଲେ ହଇରାଣ ହୋଇଥାନ୍ତେ ନିଶ୍ଚୟ । ଇନଷ୍ଟା ଆକାଉଣ୍ଟର କମେଣ୍ଟ୍ ଅଫ୍ ମାନେ କିଛି ତ ଘୋଟାଲା ଅଛି । କମେଣ୍ଟ୍ ଏକ ଏମିତି ଫିଚର ଯାହା ପ୍ରତିଟି ପୋଷ୍ଟ୍ କିମ୍ବା ପ୍ରଡକ୍ଟର ଜାତକ ଖୋଲି ରଖିଦିଏ । ପ୍ରଡକ୍ଟ ଭଲ ନା ଖରାପ ସବୁ ଜଣାପଡ଼ିଯାଏ । ଯଦି ଆକାଉଣ୍ଟ୍ ଏହି ଫିଚରକୁ ବନ୍ଦ କରି ରଖିଛି ତାହେଲେ ବ୍ରାଣ୍ଡ୍ ନିଜ ସତ୍ୟତା ସାମ୍ନାକୁ ଆଣିବାକୁ ଚାହୁଁନି । ଏଭଳି ପୋର୍ଟାଲରୁ ଯେତେ ଦୂରେଇ ରହିବେ ସେତେ ଭଲ । 


ପ୍ରଡକ୍ଟ ମଗାଇବାକୁ ହେଲେ କେବଳ ଠିକଣା ଓ ମୋବାଇଲ୍ ନମ୍ବର ହିଁ ଯଥେଷ୍ଟ । ଯଦି କୌଣସି ପୋର୍ଟାଲ୍ ଆଧାର କାର୍ଡ , ପାନ୍ କାର୍ଡ ମାଗୁଛି ତେବେ ସେଠାରୁ ହିଁ ୟୁ-ଟର୍ଣ୍ଣ ମାରନ୍ତୁ , ସୁବିଧାରେ ରହିବେ । ୱେବସାଇଟ୍ ତଥା ପୋର୍ଟାଲ୍ ଭିତରକୁ ଯିବା ପୂର୍ବରୁ ଗୁଗୁଲର ସାହାଯ୍ୟ ନିଅନ୍ତୁ । ୱେବସାଇଟର ୟୁଆରଏଲ୍ ଗୁଗୁଲରେ ପେଷ୍ଟ୍ କରନ୍ତୁ । କିଛି ଝାମେଲା ଥିଲେ ଗୁଗୁଲ୍ ସତର୍କ କରାଇଦେବ । ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି , ଆଖିକୁ ଝଲସାଇଦେଲା ଭଳି , ମନକୁ ଲୋଭ ଆସିଲା ପରି ବିଜ୍ଞାପନ ଦେଖି ପ୍ରଡକ୍ଟ କିଣିବାର ଭୁଲ୍ କେବେ କରନ୍ତୁ ନାହିଁ । ଏହା ଠକାମୀର ବ୍ରହ୍ମାସ୍ତ୍ର ହୋଇଥାଏ , ଯେଉଁଥିରେ ଗ୍ରାହକ ଆରାମରେ ଫସିଯାଆନ୍ତି ।