କନକ ବ୍ୟୁରୋ : ପ୍ରତିଟି ଭଜା, ତରକାରୀରେ କିଛି ପଡୁ କି ନପଡୁ କିନ୍ତୁ ପିଆଜ ପଡ଼ିବାଟା ଥୟ । ପିଆଜ ଆମ ରୋଷେଇ ଘରର ଏକ ଅତ୍ୟାବଶ୍ୟକ ଅଂଶ , କିନ୍ତୁ ବେଳେବେଳେ ଏଥିରେ କଳା ଦାଗ ଲାଗିଯାଏ । ଯାହା ଦେଖିବାକୁ ତ ଅସୁନ୍ଦର ଲାଗେ ହେଲେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବିପଦ ଡାକିଆଣେ । ଡାକ୍ତର ମଧ୍ୟ କଳା ଦାଗ ପଡ଼ିଯାଇଥିବା ପିଆଜକୁ ଖାଇବାକୁ ମନା କରିଥା’ନ୍ତି । ନିକଟରେ ଉତ୍ତରପ୍ରଦେଶରେ ଏକ ଗାଁରେ ଜଣେ ମହିଳାଙ୍କ ଦେହ ଖରାପ ହେବାର କାରଣ ଥିଲା ଏହି କଳା ପିଆଜ । ମହିଳା ଜଣକ ଯେଉଁ ତରକାରୀ ଖାଇଥିଲେ ସେଥିରେ ଫଙ୍ଗସ୍ ଲାଗିଥିବା କଳା ପିଆଜ ପଡ଼ିଥିଲା । ପିଆଜରେ ଯେତେବେଳେ କଳା ଦାଗ ଅର୍ଥାତ୍ ଫଙ୍ଗସ୍ ଲାଗିଯାଏ, ସେତେବେଳେ ଏହାର ଅର୍ଥ ହେଉଛି ସେହି ପିଆଜରେ ଫିମ୍ପି ବିକଶିତ ହୋଇଛି । ଏହି ଫଙ୍ଗସ୍ କେବଳ ପିଆଜର ଗୁଣବତ୍ତାକୁ ଖରାପ କରେ ନାହିଁ, ଏହା ବିଷାକ୍ତ ମଧ୍ୟ ହୋଇପାରେ । ଏପରି ପିଆଜ ଖାଇବା ଦ୍ୱାରା ପେଟରେ ଗଡ଼ବଡ଼, ବାନ୍ତି, ଝାଡ଼ା ଏବଂ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।
/filters:format(webp)/kanak/media/media_files/2025/09/08/black-fungus-onion-2025-09-08-14-11-42.jpg)
ଉତ୍ତରପ୍ରଦେଶରେ ଜଣେ ମହିଳା କଳା ଦାଗ ଲାଗିଥିବା ପିଆଜକୁ ରୋଷେଇରେ ବ୍ୟବହାର କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ କୌଣସି ଅସୁବିଧା ହୋଇନଥିଲା କିନ୍ତୁ କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବାକୁ ଲାଗିଲା । ପ୍ରବଳ ଜ୍ୱର, ବାନ୍ତି ଏବଂ ପେଟରେ ଯନ୍ତ୍ରଣା ଅଭିଯୋଗ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରମାନେ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ମହିଳାଙ୍କ ରୋଗର କାରଣ ହେଉଛି ଫଙ୍ଗଲ୍ ଇନଫେକ୍ସନ୍, ଯାହା ଖରାପ ପିଆଜ ଖାଇବା ଦ୍ୱାରା ହୋଇଥିଲା । ଏଭଳି କଳା ଦାଗ ଲାଗିଥିବା ପିଆଜକୁ କେବେବି ବ୍ୟବହାର କରନ୍ତୁ ନାହିଁ । ଏପରି ପିଆଜ ଯାହା ସଢ଼ା,ଗଳା କିମ୍ବା ଫିମ୍ପି ଲାଗିଥିବ, ତାହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ । ପିଆଜ କିଣିବା ସମୟରେ ଧ୍ୟାନ ରଖନ୍ତୁ ଯେ ତାହା ସତେଜ ଏବଂ ପରିଷ୍କାର ପରିଚ୍ଛନ୍ନ ହୋଇଥିବ । ପିଆଜକୁ ଥଣ୍ଡା ଏବଂ ଶୁଖିଲା ସ୍ଥାନରେ ରଖନ୍ତୁ ଯାହାଦ୍ୱାରା ଫଙ୍ଗସ୍ ଲାଗିବ ନାହିଁ ।
ପିଆଜକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଆର୍ଦ୍ରତା କମ୍ ଥାଏ । ଅଧିକ ଆର୍ଦ୍ରତା ହେଲେ ପିଆଜ ଉପରେ ଫଙ୍ଗସ୍ ଲାଗିବାର ଆଶଙ୍କା ବଢ଼ିଯାଏ । ଘରେ ପିଆଜକୁ ଜାଲିଦାର ବ୍ୟାଗ୍ କିମ୍ବା ବାକ୍ସରେ ରଖି ପବନ ଆସିବାକୁ ଦିଅନ୍ତୁ । ଏହାଦ୍ୱାରା ପିଆଜ ଅଧିକ ସମୟ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ । ପିଆଜର ଗୁଣବତ୍ତା ଏବଂ ସଫେଇ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । କଳା ଦାଗ ଲାଗିଥିବା ପିଆଜକୁ ରୋଷେଇରେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଏବଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟ ବିପଦରେ ପଡ଼ିପାରେ । ଉତ୍ତରପ୍ରଦେଶର ଏହି ମହିଳାଙ୍କ କାହାଣୀ ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ଯେ ଆମେ ପ୍ରତ୍ୟେକ ପରିବା ପରିଷ୍କାର ଏବଂ ତାଜା ହିଁ ଖାଇବା ଉଚିତ୍ ।