ବରଗଡ଼ରେ ବଡ଼ ଗଡବଡ଼ । ଏଠି ବସା ବାନ୍ଧିଛି ଜମି କେଳେଙ୍କାରୀ । କୋଟିକୋଟି ଟଙ୍କାର ଜମି ଦୁର୍ନୀତି । କେତେବେଳେ ନକଲି କାଗଜପତ୍ରରେ ଅସଲି ରେଜିଷ୍ଟ୍ରି ତ ଆଉ କେତେବେଳେ ଜୋର୍ ଜବରଦସ୍ତି ଚାଷୀର ଜମିକୁ ହଡ଼ପ କରୁଛନ୍ତି ଜମି ମାଫିଆ । ଚାଷୀଙ୍କ ଜମିକୁ ମାଟିପୋତି ହାତେଇବାକୁ ଯୋଜନା କରିଥିବା ଜମି ମାଫିଆ ତଫିକ ଖାନକୁ ଗିରଫ କରିଛି ପୋଲିସ ।
ବରଗଡ଼ରେ ବଢୁଛି ଜମି ଦଲାଲଙ୍କ ଦାଦାଗିରି । ଖେଦାପାଲି ରାସ୍ତାକଡ଼ରେ ଥିବା ଚାଷ ଜମିକୁ ପୋତି ନିଜ କବଜାକୁ ନେବାକୁ ଯୋଜନା କରିଥିଲା ଜମି ମାଫିଆ ତଫିକ ଖାନ । ଦଲାଲାଙ୍କ ଦୌରାତ୍ମରୁ ବର୍ତ୍ତିବା ପାଇଁ ରାସ୍ତାରୋକ କରିଥିଲେ ଚାଷୀ । ପୁଲିସ ଓ ପ୍ରଶାସନିକ ଅଧିକାରୀ ଚାଷୀଙ୍କୁ ବୁଝାସୁଝା କରିବା ସହ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବରଗଡ଼ ଟାଉନ ଥାନା ପୁଲିସ ତଦନ୍ତ କରି ଜମି ମାଫିଆ ତଫିକ ଖାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
କିଛି ଦିନ ତଳେ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଧିଷ୍ଟ ଜମିକୁ ପ୍ଲଟିଂ କରି ବିକ୍ରି କରିଥିଲେ ମାଫିଆ । ବରଗଡ଼ ଡାଙ୍ଗ ମୌଜାରେ ଥିବା ୧ ଏକର ୬୦ ଡେସିମିଲ୍ ଜମି ବିକ୍ରି ପାଇଁ ପୂର୍ବତନ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ଦସ୍ତଖତକୁ ଜାଲ କରାଯାଇଥିଲା । ବର୍ତ୍ତମାନ ଉପଜିଲ୍ଲାପାଳ ଏନେଇ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଜମି ବିକିଥିବା ବ୍ୟକ୍ତି ଓ ଜିଲ୍ଲା ସବ୍ରେଜିଷ୍ଟ୍ରାର୍ ଅଫିସ୍ର ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଏହାର କିଛି ଦିନ ନପୁରୁଣୁ ପୁଣି ସକ୍ରିୟ ହୋଇଛନ୍ତି ମାଫିଆ । ଏହାକୁ ନାପସନ୍ଦ କରିଛି ବରଗଡ଼ ଓକିଲ ସଂଘ ।
ବରଗଡ଼ର ଜିଲ୍ଲାର ନିରୀହ ଚାଷୀଙ୍କ ଜମି ଉପରେ ଏବେ ମାଫିଆଙ୍କ ଆଖି । ସରକାରୀ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିବା ସହ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଦାଦାଗିରି କରି ଚଳାଇଛନ୍ତି ଜମି ଦଲାଲ ।