ପରିଶ୍ରା ଲାଗୁଥିବ କିନ୍ତୁ ରୋକିକରି ବସିଥିବେ ଏମିତି କେବେ ପରିସ୍ଥିତି ଉପୁଜିଛି କି ? ଏ ପ୍ରଶ୍ନରେ ବୋଧହୁଏ ଆପଣ ଭାବୁଥିବେ ଏ ତ ନିତିଦିନିଆ କଥା , କାମରେ ବ୍ୟସ୍ତ ରହିଗଲେ ବେଳେବେଳେ ବିଳମ୍ବ ହେଇଯାଏ । କର୍ମବ୍ୟସ୍ତତା ଯୋଗୁଁ ହେଉ କିମ୍ବା ଯାତ୍ରାକାଳରେ ସୁବିଧାର ଅଭାବ ହେଲେ ପରିସ୍ରା ରୋକିବା ଭଳି କାମ ପ୍ରାୟତଃ ସମସ୍ତେ କରନ୍ତି ଆଜ୍ଞା । କିନ୍ତୁ ଏହି ଛୋଟ କାମଟି ଯେ ଆପଣଙ୍କୁ କେତେ ବଡ଼ ଗମ୍ଭୀର ରୋଗ ଆଡକୁ ବାଟ କଢାଇ ନେଉଛି କେବେ ଭାବିଛନ୍ତି କି? ଏଥିରେ ବ୍ଲାଡର୍ ଲିକେଜ୍ ସମସ୍ୟାରୁ ଆରମ୍ଭ କରି ସଂପୂର୍ଣ୍ଣ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେବେ ଆଜି ଆସନ୍ତୁ ଜାଣିବା ଅଧିକ ସମୟ ଧରି ପରିଶ୍ରା ରୋକିଲେ ସ୍ୱାସ୍ଥ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିଥାଏ ।
ବର୍ତ୍ତମାନ ସମୟରେ ଉଭୟ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏକ ଗମ୍ଭୀର ସମସ୍ୟା ହେଉଛି ୟୁଟିଆଇ । ଯାହାକୁ ସାଧାରଣତଃ ୟୁରିନ୍ ଇନଫେକ୍ସନ୍ ବୋଲି କୁହାଯାଏ । ଅନେକ କାରଣରୁ ଏହି ସମସ୍ୟା ଦେଖାଯାଏ । କିନ୍ତୁ ଅଧିକ ସମୟ ଧରି ପରିଶ୍ରା ରୋକିବା ଏହାର ଏକ ବଡ଼ କାରଣ ହୋଇଥାଏ । ପରିଶ୍ରା ଆସୁଥିବା ସମୟରେ ଏହାକୁ ରୋକିଲେ ବ୍ୟାକ୍ଟେରିଆ ବଢିଥାଏ , ଯାହା ବ୍ଲାଡରର ଭିତର ପର୍ଯ୍ୟନ୍ତ ପହଂଚିଥାଏ । ସଂକ୍ରମଣ ବଢିବା ପରେ ଏହା ଅନେକ ଗମ୍ଭୀର ରୋଗକୁ ଜନ୍ମ ଦିଏ । ଏଭଳି ସ୍ଥିତିରେ ପରିଶ୍ରା ଆସିବା ମାତ୍ରେ ଏହାକୁ ପାସ୍ କରନ୍ତୁ ନଚେତ୍ ୟୁଟିଆଇର ସମସ୍ୟା ଗମ୍ଭୀରତା ଆଡ଼କୁ ଗତି କରିବ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ଏବଂ ତରଳ ପଦାର୍ଥ ପିଅନ୍ତୁ ।
ୟୁରିନ୍ ଲିକେଜ୍ ସମସ୍ୟା ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ । ପରିଶ୍ରା ଉପରେ ନିୟନ୍ତ୍ରଣ ନ ରଖିପାରି ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୟୋଜ୍ୟେଷ୍ଠ । କିନ୍ତୁ ଯଦି ଆପଣ ଅଧିକ ସମୟ ଧରି ପରିଶ୍ରା ରୋକୁଛନ୍ତି ତାହେଲେ ଆପଣଙ୍କ ପେଲଭିକ୍ ଫ୍ଲୋର୍ ଏବଂ ବ୍ଲାଡର୍ ଦୁର୍ବଳ ହୋଇଯାଏ ଏବଂ କମ୍ ବୟସରୁ ହିଁ ୟୁରିନ୍ ଲିକେଜ୍ ସମସ୍ୟା ଦେଖାଯାଏ । ପରିଶ୍ରାରେ ୟୁରିକ୍ ଏସିଡ୍ ଏବଂ କ୍ୟାଲସିୟମ୍ ଆକ୍ସଲେଟ୍ ନାମକ ମିନେରାଲ୍ ମହଜୁଦ୍ ଥାଏ । ଏହି ମିନେରାଲକୁ ଯଦି ଅଧିକ ସମୟ ଧରି ରୋକାଯାଏ ତାହେଲେ କିଡନୀ ଷ୍ଟୋନ୍ ସମସ୍ୟା ମଧ୍ୟ ହୋଇପାରେ ।
ଲଗାତାର ପରିଶ୍ରା ରୋକିବା ଦ୍ୱାରା ବ୍ଲାଡରର ମାଂସପେଶୀ ଦୁର୍ବଳ ହେବା ସହ ଟାଣିଥାଏ । ଏହା ଦ୍ୱାରା ସମୟ ବଢିଲେ ବ୍ଲାଡର୍ ଫାଟିବା ଭଳି ଗମ୍ଭୀର ସମସ୍ୟା ମଧ୍ୟ ଦେଖାଯାଏ । ପରିଶ୍ରା ରୋକିବା ଦ୍ୱାରା କିଡନୀ ଉପରେ ଏହାର ପ୍ରେସର୍ ପଡ଼ିଥାଏ ଯାହା ଭବିଷ୍ୟତରେ କିଡନୀ ସମ୍ବନ୍ଧୀୟ ରୋଗକୁ ଜନ୍ମ ଦିଏ । ଏହାଛଡ଼ା ଲମ୍ବା ସମୟ ଧରି ପରିଶ୍ରା ରୋକିବାର ଅଭ୍ୟାସ କିଡନୀ ଏବଂ ବ୍ଲାଡରରେ ପୀଡାର କାରଣ ପାଲଟିଥାଏ । ୟୁରିନରୀ ରିଟେସନ୍ ସମସ୍ୟା ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ମୂତ୍ରାଶୟ ସଂପୂର୍ଣ୍ଣ ରୂୂପରେ ଖାଲି ହୋଇ ନ ପାରି ପରିଶ୍ରା କଲାବେଳେ ଅସୁବିଧା ଉପୁଜିଥାଏ ।