କନକବ୍ୟୁରୋ : ବ୍ରହ୍ମପୁର ପାଟ ଶାଢ଼ି । ଓଡ଼ିଶା ବଜାରରେ ଯାହାର ରହିଛି ସ୍ୱତନ୍ତ୍ର ପରିଚୟ । ଭଳି କି ଭଳି ସୁନ୍ଦର ସୁନ୍ଦର ଶାଢ଼ି । ଦେଖିଲେ ମନ ଲାଖି ଯାଉଛି । କାହାର ଆଖି ସୂତା ଛନ୍ଦରେ ଅଟକି ଯାଇଛି । ଏମାନଙ୍କ ହାଡ଼ ଭଙ୍ଗା ପରିଶ୍ରମ ଗୋଟିଏ ଗୋଟିଏ ଶାଢ଼ିକୁ ଏ ତନ୍ତୁ ମେସିନ୍ରୁ ଶୋ’ ରୁମ୍ ଯାଏଁ ବାଟ କଢ଼େଇ ନିଏ । ହେଲେ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ବୁଣାକାରଙ୍କ ସଂଖ୍ୟା ଅଧାରୁ ଅଧିକ କମିଗଲାଣି । ଫଳରେ ଆଗ ଭଳି ଆଉ ଅଧିକ ଶାଢ଼ି ଉତ୍ପାଦନ ହୋଇପାରୁନି ।
ସେପଟେ ବିଭିନ୍ନ ଦୋକାନରେ ଅଧିକ ପାଟ ଶାଢ଼ି ରହୁନି। ଆଦର ଅଛି, ଚାହିଦା ଅଛି ହେଲେ ଉତ୍ପାଦନ ଢେର କମି ଯାଇଛି। ଗୋଟିଏ ଗୋଟିଏ ପାଟ ଶାଢ଼ି ୫ ହଜାର ଟଙ୍କାରୁ ଆରମ୍ଭ ହୋଇ ଲକ୍ଷେ ଟଙ୍କା ଯାଏଁ ରହିଛି। ହେଲେ ସାହୁକାର ଓ ଦଲାଲଙ୍କ ଯୋଗୁଁ ବୁଣାକାର ଶାଗ ମାଛ ମୂଲ୍ୟରେ ବିକ୍ରି କରୁଛି। ଭେଜାଲ ଓ ନକଲି ଶାଢ଼ି ମାର୍କେଟକୁ ଆସିବା ପରେ ଅସଲି ବ୍ରହ୍ମପୁର ପାଟ ବ୍ୟବସାୟ ସଂକଟରେ ପଡ଼ିଛି।