କନକ ବ୍ୟୁରୋ : ବ୍ରହ୍ମପୁର ନିମଖଣ୍ଡି ଶ୍ରୀମାନଗରରେ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ଆଜିଠୁ ରମାଣ୍ଡରେ ଯିବ ଅଭିଯୁକ୍ତ । ତିନି ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ । ରିମାଣ୍ଡ ସମୟରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୁଲିସ । ଫେସ୍ବୁକ୍ରୁ ପ୍ରେମ, ମନୋମାଳିନ୍ୟ ଓ ପରେ ମା’ଙ୍କୁ ହତ୍ୟା ଏବଂ ଝିଅକୁ ହତ୍ୟା ଉଦ୍ୟମ କରିଥିଲା । ଘଟଣାରେ ଅଭିଯୁକ୍ତ ସୁନୀଲକୁ କର୍ଣ୍ଣାଟକ କଲ୍ବୁର୍ଗୀ ଜିଲ୍ଲା ୱାଡି ଷ୍ଟେସନ୍ରୁ ଆରପିଏଫ୍ ସହାୟତାରେ ବ୍ରହ୍ମପୁର ପୁଲିସ ଗିରଫ କରିଛି ।
ଏସ୍ପିଙ୍କ ସୂଚନା ଅନୁସାରେ ସୁନୀଲ ଅଭିଯୁକ୍ତର ପ୍ରକୃତ ନାଁ ନୁହଁ । ସେ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁର ଶାନ୍ତନୁ ପାତ୍ର । ୨୦୧୧ରେ ନିଜ ସମ୍ପର୍କୀୟ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର ହୋଇ ନାଁ ବଦଳାଇ ମୁମ୍ବାଇରେ ରହୁଥିଲା । ଏହା ପରେ କିଛି ବର୍ଷ ହେବ ନକଲି ଆଧାର କାର୍ଡରେ ବ୍ରହ୍ମପୁରରେ ରହି ଆସୁଥିଲା । ୨୦୧୯ରେ ଗାୟତ୍ରୀଙ୍କ ସହ ତାଙ୍କର ସୋସିଆଲ ମିଡିଆରେ ସମ୍ପର୍କ ହୋଇଥିଲା । ୨୦୨୩ ମସିହାରେ ଗାୟତ୍ରୀଙ୍କୁ ନେଇ ସେ ମୁମ୍ବାଇ ଯାଇଥିଲା । ୧୦ ଦିନ ମୁମ୍ବାଇରେ ରହିବା ପରେ ଗାୟତ୍ରୀ ମୁମ୍ବାଇରୁ ଫେରିଥିଲେ । ପରିବାର ଲୋକ ଗ୍ରହଣ ନକରିବାରୁ ସ୍ବାମୀଙ୍କ ସହ ଭଡ଼ା ଘରେ ରହୁଥିଲେ । ସ୍ବାମୀଙ୍କ ଭୁବନେଶ୍ବର ବଦଳି ହେବା ପରେ ପୁଣି ଗାୟତ୍ରୀ ସୁନୀଲଙ୍କ ସହ ସମ୍ପର୍କ ରଖିଥିଲେ । ଏହା ଜାଣିବା ପରେ ସ୍ବାମୀ ଭଡ଼ା ଘର ବଦଳାଇ ଦେଇଥିଲେ । ଗାୟତ୍ରୀ ଆଉ ସୁନୀଲଙ୍କ ସହ ସମ୍ପର୍କ ଆଗକୁ ବଢାଇବାକୁ ଚାହୁଁନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଗୋଟିଏ ଦିନ ରାତିରେ ଗାୟତ୍ରୀଙ୍କ ଘରକୁ ସୁନୀଲ ଯାଇ ରୋଷେଇ ଘରୁ ଛୁରୀ ଆଣି ବେକ କାଟି ଦେଇଥିଲା । ପାଖରେ ଥିବା ଗାୟତ୍ରୀଙ୍କ ୧୧ ବର୍ଷର ଝିଅର ବେକ ମଧ୍ୟ କାଟି ଦେଇଥିଲା ।