କନକ ବ୍ୟୁରୋ:  ମଣିଷ ଅସୁସ୍ଥ ହେଲେ ଘର ଲୋକଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁହଁ ଖୋଲି କହିପାରେ । କିନ୍ତୁ ପଶୁପକ୍ଷୀଙ୍କ ଅସୁସ୍ଥତା ସେମାନଙ୍କ ଗତିବିଧିରୁ ବାରି ହୁଏ । ଉତ୍ତମ ଚିକିତ୍ସା ମିଳିଲେ ସୁସ୍ଥ ହୁଅନ୍ତି ନହେଲେ ଅକାଳରେ ଜୀବନ ଯାଏ । ପ୍ରାଣୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟତିକ୍ରମ ନେଇ ଅଭିଯୋଗ ଆସିଛି ବ୍ରହ୍ମପୁର ସହରରୁ ।

ବ୍ରହ୍ମପୁରରେ ବିଗିଡ଼ି ଯାଇଛି ସ୍ୱାସ୍ଥ୍ୟସେବା । ଏମକେସିଜି ମେଡିକାଲର ଦୂରବସ୍ଥା ଦେଖିଛନ୍ତି, ଏବେ ଦେଖନ୍ତୁ ବ୍ରହ୍ମପୁରରେ ଥିବା ଗଞ୍ଜାମ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଅବସ୍ଥା । ନାହିଁନାହିଁରେ ଚାଲିଛି ଚିକିତ୍ସାଳୟ। ଆବଶ୍ୟକୀୟ ଡାକ୍ତର, ସହାୟକ ଓ କର୍ମଚାରୀଙ୍କ ଅଭାବ ରହିଛି । ଟେକ୍ନିସିଆନ ନଥିବାରୁ ଏକ୍ସ-ରେ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଅଚଳ । ଅସ୍ୱାସ୍ଥ୍ୟକର ପରିବେଶରେ ଚିକିତ୍ସା ଚାଲିଥିବା ଅଭିଯୋଗ ହେଉଛି । ଜରୁରୀକାଳୀନ ସେବାରେ ମଧ୍ୟ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳେ। କଥା କହି ପାରୁନଥିବା ପ୍ରାଣୀଙ୍କ ଚିକିତ୍ସା କ୍ଷେତ୍ରରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ପଶୁପ୍ରେମୀ ।

ଗଞ୍ଜାମ ଜିଲ୍ଲାରେ ୩୮ଟି ପ୍ରାଣୀ ଚିକିତ୍ସାଳୟ ଅଛି । ୧୧୦ଜଣ ପ୍ରାଣୀ ଚିକିତ୍ସକ ଆବଶ୍ୟକ । ୩୨ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ୪ ବଦଳରେ ୨ଜଣ ପ୍ରାଣି ଚିକିତ୍ସକ  ଅଛନ୍ତି । ସେହିଭଳି ୨୫୯ ପ୍ରାଣୀ ସହାୟକଙ୍କ ସ୍ଥାନରେ ଅଛନ୍ତି, ୧୪୮ଜଣ । ଏସବୁ ସମସ୍ୟା ସମ୍ପର୍କରେ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ  । କଥା କହିପାରୁ ନଥିବା ପ୍ରାଣୀ ହେଲେ ବି ଜୀବଜଗତରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।