କନକ ବ୍ୟୁରୋ : ବିବାଦଘେରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ମିଳିଥିବା ନାକ ରିପୋର୍ଟ । ୱେବସାଇଟରେ ରିପୋର୍ଟ ଆବିଆନ୍ସ ଦର୍ଶାଇ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଛନ୍ତି ପୂର୍ବତନ କୁଳପତି । ଯାହାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଳିଥିଲା ୨୬ତମ ସମାବର୍ତ୍ତନ ଉତ୍ସବ । ଆଉ ଏହାର ଦିନକ ପୂର୍ବରୁ ଅଗଷ୍ଟ ୮ ତାରିଖରେ ବିଶ୍ୱବିଦ୍ୟାଳୟକୁ ମିଳିଥିଲା ନାକ୍ ‘ଏ’ ଗ୍ରେଡ୍ ମାନ୍ୟତା । ୩.୪ ସିଜିପିଏ ସ୍କୋର ସହ ଏ ଗ୍ରେଡ୍ ମିଳିଥିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବି ଘୋଷଣା କରିଥିଲେ । ହେଲେ ନାକ୍ ୱେବସାଇଟରେ ରିପୋର୍ଟ ଆବିଆନ୍ସ ଲେଖା ଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ଦାଶ । ନାକ୍ ତରଫରୁ ବାସ୍ତବରେ ଗ୍ରେଡ୍ ସାର୍ଟିଫିକେଟ୍ ମିଳିଛି କି ନାହିଁ ବୋଲି ସେ ପ୍ରଶ୍ନ କରିବା ସହ ସମାବର୍ତ୍ତନ ପୂର୍ବରୁ ଏହା କର୍ତ୍ତୃପକ୍ଷଙ୍କ ଶସ୍ତା ଲୋକପ୍ରିୟତା ସାଉଁଟିବା ମାନସିକତା ବୋଲି କହିଛନ୍ତି । ରିପୋର୍ଟ ଆବିଆନ୍ସ ଥିଲେ ଗ୍ରେଡ୍ ମିଳିନଥାଏ ବରଂ କର୍ତ୍ତୃପକ୍ଷ ସମସ୍ତଙ୍କୁ ମିଛ କହୁଥିବା କହିଛନ୍ତି ପୂର୍ବତନ କୁଳପତି ।
ନାକ୍ ଗ୍ରେଡ ମାନ୍ୟତାକୁ ନେଇ ପୂର୍ବତନ କୁଳପତିଙ୍କ ସାଂଘାତିକ ଅଭିଯୋଗ ପରେ ସଫେଇ ରଖିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ନାକ୍ ପକ୍ଷରୁ ବିଶ୍ଵବିଦ୍ୟାଳୟରେ ସର୍ଭେ ପରେ ୩.୪ ସିଜିପିଏ ସ୍କୋର ମିଳିଛି । କିନ୍ତୁ ବିଶ୍ୱବିଦ୍ୟାଳୟ ଅଧିକ ସ୍କୋର ମିଳିବା ନେଇ ଆଶାବାଦୀ ଥିଲେ । ଯେଉଁଥିପାଇଁ ପୁନଃ ମୂଲ୍ୟାୟନ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ନାକ୍କୁ ଚିଠି ଲେଖାଯାଇଛି । ଗତ ୮ ତାରିଖ ରାତିରେ ନାକ୍ ପକ୍ଷରୁ ଗ୍ରେଡ଼ ଏ ପ୍ରମାଣପତ୍ର ମେଲ ଯୋଗେ ମିଳିଥିଲା ବେଳେ ଏବେ ପୁନଃ ମୂଲ୍ୟାୟନ ପାଇଁ ଦାବି ଥିବାରୁ ରିପୋର୍ଟ ଆବିଆନ୍ସ ଲେଖାଥିବା କହିଛନ୍ତି କୁଳପତି ।
କିଛିଦିନ ତଳେ ଛାତ୍ର ଅଣ ଛାତ୍ର ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଏବେ ପୁଣି ନାକ୍ ଏ ଗ୍ରେଡ୍କୁ ନେଇ ହୋଇଛି ବିବାଦ । ତେବେ ପୂର୍ବତନ କୁଳପତି ନା ବର୍ତ୍ତମାନର କୁଳପତି କିଏ କହୁଛନ୍ତି ସତ ? ସେ ନେଇ ପ୍ରଶ୍ନ ଉଠିଛି ।