କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ବଉଁଶରା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଭୋଇ ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଗତ ୨୦ ତାରିଖରେ ବଉଁଶରା ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ ବ୍ଲକ ଶିକ୍ଷା ଅଧିକାରୀ ଲୋତିକା ଦାସ ଓ ତାଙ୍କର ୨ ସହଯୋଗୀ । 

Advertisment

ପ୍ରଧାନ ଶିକ୍ଷକଙ୍କ କହିବା କଥା,  ଲୋତିକା ଦାସ ସବୁକିଛି ଯାଞ୍ଚ କଲାପରେ ସ୍କୁଲରୁ ଚାଲିଯାଇଥିଲେ । ପରେ କିରାଣୀ ସଞ୍ଜୟ ଦେହୁରୀ ପୁଣିଥରେ ଫେରିଆସି ପ୍ରଧାନ ଶିକ୍ଷକଙ୍କୁ ୫ ହଜାର ଟଙ୍କା ମାଗିଥିଲେ, ପ୍ରଧାନଶିକ୍ଷକ ଟଙ୍କା ମାଗିବାର କାରଣ ପଚାରିବାରୁ ଉପସ୍ଥାନ କମ୍ ଥିବାରୁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ସଞ୍ଜୟ । ଟଙ୍କା ନଦେଲେ ଦରମା ବନ୍ଦ କରିଦେବାକୁ ଧମକାଇଥିଲେ ସଞ୍ଜୟ ଏବଂ ଗୋଟିଏ ଦିନ ପରେ ବିଇଓଙ୍କ କାର୍ଯ୍ୟାଳୟରୁ ପ୍ରଧାନଶିକ୍ଷକ ଗୋପବନ୍ଧୁଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଆସିଥିଲା ଏବଂ ତାଙ୍କ ଗୋଟିଏ ଦିନର ଦରମା ବନ୍ଦ କରାଯାଇଥିଲା ।  ତାଙ୍କୁ ଟଙ୍କା ମଗାଯାଇଥିଲା ଉଲ୍ଲେଖ କରି କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ ଗୋପବନ୍ଧୁ ।  ଆହୁରି ବିଭିନ୍ନ ସମୟରେ ସଞ୍ଜୟ ତାଙ୍କୁ ଟଙ୍କା ମାଗିଥିଲେ ଏବଂ ବଦଳି ପାଇଁ ମଧ୍ୟ ୧୦ ହଜାର ଟଙ୍କା ନେଇଥିଲେ ବୋଲି ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନଶିକ୍ଷକ । ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।