କନକ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ବେଙ୍ଗାଲୁରୁ ଦଳାଚକଟାର ପ୍ରଭାବ । ଖୁବଶୀଘ୍ର ବଦଳିପାରେ ମନ୍ତ୍ରିମଣ୍ଡଳ । ଆପଣମାନେ ଜାଣିଥିବେ ଆଇପିଏଲ୍ ଜିତିଲା ପରେ ବେଙ୍ଗାଲୁରୁରେ ହୋଇଥିବା ବିଜୟ ଶୋଭାଯାତ୍ରାରେ କଣ ଘଟିଲା । ସେଦିନ ଦଳାଚକଟାରେ ୧୧ ଜଣ ଲୋକଙ୍କ ଜୀବନ ଗଲା, ୫୦ରୁ ଅଧିକ ଲୋକ ଏହି ଅଘଟଣରେ ଆହତ ହେଲେ । କିନ୍ତୁ ଏହି ଘଟଣାର ପ୍ରଭାବ ଏବେ କର୍ଣ୍ଣାଟକ ରାଜନୀତିରେ ଦେଖିବାକୁ ମିଳିଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ବଦଳିପାରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଆଉ ଏହି ମନ୍ତ୍ରିମଣ୍ଡଳ ଅଦଳବଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଉ ଲଗାତାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କେସି ବେଣୁଗୋପାଳ ଏବଂ ରଣଦୀପ ସୁରଜେବାଲାଙ୍କ ସହ ଉଭୟ ନେତାଙ୍କ ବୈଠକ ଚାଲିଛି । ଚର୍ଚ୍ଚା ହେଉଛି କୁଆଡ଼େ ବେଙ୍ଗାଲୁରୁ ଘଟଣା ପରେ ପାର୍ଟିର ହାଇକମାଣ୍ଡ କିଛି ବଡ଼ ଆକ୍ସନ୍ ନେଇପାରନ୍ତି, ଆଉ ମନ୍ତ୍ରିମଣ୍ଡଳ ଅଦଳବଦଳ କରିପାରନ୍ତି ।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କାହିଁକି ଦିଲ୍ଲୀ ଯାଇଛନ୍ତି ସେନେଇ ତାଙ୍କ ପାଖରେ କିଛି ବି ସୂଚନା ନାହିଁ । ସମ୍ଭବତଃ ଦଳାଚକଟା ଘଟଣାର ରିପୋର୍ଟ ଦେବାକୁ ଦୁହେଁ ଦିଲ୍ଲୀ ଯାଇଥିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ତାଙ୍କୁ ହାଇକମାଣ୍ଡ ଡାକିନାହାଁନ୍ତି, ତେଣୁ ଯଦି ଆଗାମୀ ଦିନରେ ତାଙ୍କୁ ଦିଲ୍ଲୀରୁ ଡକରା ଆସେ ତେବେ ସେ ମଧ୍ୟ ଦିଲ୍ଲୀ ଯିବେ ବୋଲି କହିଛନ୍ତି ।
ଚର୍ଚ୍ଚା ମୁତାବକ, ବେଙ୍ଗାଲୁରୁ ଅଘଟଣ ନେଇ ରାହୁଲ ଗାନ୍ଧୀ ଚିନ୍ତାରେ ଅଛନ୍ତି ଆଉ ତୁରନ୍ତ କର୍ଣ୍ଣାଟକ ସରକାରରେ ପରିବର୍ତ୍ତନ ଚାହୁଛନ୍ତି । ତେଣୁ କୁହାଯାଉଛି ଯଦି ନିକଟ ଭବିଷ୍ୟତରେ କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୁଏ ତେବେ ଏଥିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଖାସ୍ କରି ବି.କେ. ହରିପ୍ରସାଦ ଏବଂ ଆର.ବି. ଦେଶପାଣ୍ଡେଙ୍କ ଭଳି ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ।