ଦିନକୁ ଦିନ ସାଇବର୍ ଠକଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଠକାମୀର ସୀମା ପାର୍ କରୁଛନ୍ତି ସାଇବର୍ ଠକ । ଠକଙ୍କ ମାୟାଜାଲରେ ଏବେ ଫସିଛନ୍ତି ଜଣେ ସଫ୍ଟୱେର୍ ଇଞ୍ଜିନିୟର । ବାଙ୍ଗାଲୋରରେ ରହୁଥିବା ଏହି ସଫ୍ଟୱେର୍ ଇଞ୍ଜିନିୟରଙ୍କଠାରୁ ୧୧ . ୮୭ କୋଟି ଟଙ୍କା ଲୁଟିନେଇଛନ୍ତି ଠକ । ଇଞ୍ଜିନିୟରଙ୍କୁ ପ୍ରଥମେ ଡିଜିଟାଲ୍ ଆରେଷ୍ଟ୍ କରାଗଲା ପରେ ଆକାଉଣ୍ଟରୁ କୋଟି କୋଟି ଟଙ୍କା ସଫା କରାଗଲା । ପୁଲିସ୍ ମୁତାବକ , ଠକମାନେ ପ୍ରଥମେ ବିଜୟ କୁମାର ନାମକ ଇଞ୍ଜିନିୟରଙ୍କୁ କଲ୍ କଲେ ପରେ ଟେଲିକମ୍ ରେଗୁଲଟରୀ ଅଥୋରିଟି ଅଫ୍ ଇଣ୍ଡିଆରୁ ଫୋନ୍ କରିଥିବା କହି ବିଜୟଙ୍କୁ ଭୂଆଁ ବୁଲାଇଲେ । ତାପରେ ଆରମ୍ଭ ହେଲା ସାଇବର୍ ଠକେଇର ପ୍ରୋସେସ୍ ।
କଲ୍ କରିଥିବା ବ୍ୟକ୍ତି ବିଜୟଙ୍କୁ ଡରାଇବା ପାଇଁ କହିଲେ , ‘ଆପଣଙ୍କ ଆଧାରକାର୍ଡକୁ ଆଉ କିଏ ବ୍ୟବହାର କରୁଛି । କାର୍ଡକୁ ବ୍ୟବହାର ମନି ଲଣ୍ଡ୍ରିଙ୍ଗ୍ କରାଯାଉଛି । ଆପଣଙ୍କ ବିରୋଧରେ ୬ କୋଟି ଟଙ୍କାର ମନି ଲଣ୍ଡ୍ରିଙ୍ଗ୍ କେସ୍ କରାଯାଇଛି । ମୁମ୍ବାଇର କୋଲାବା ପୁଲିସ୍ ଷ୍ଟେସନରେ ଏତଲା ଦିଆଯାଇଛି ଏବଂ କେସ୍ ସୁପ୍ରିମକୋର୍ଟ ଯାଏଁ ପହଂଚିଗଲାଣି ।’ ବିଜୟଙ୍କୁ ଡ଼ରାଇବା କମ୍ ହେଲାନି ଯେ ଠକମାନେ ତାଙ୍କୁ ଭିଡ଼ିଓ କଲ୍ ମଧ୍ୟ କରିଦେଲେ । ଭିଡ଼ିଓ କଲ୍ କରି ମୁମ୍ବାଇ ପୁଲିସର ଅଫିସର କହି ଡ଼ରାଇଲେ ଠକ । ଯାଞ୍ଚରେ ସହଯୋଗ ନକଲେ ଗିରଫର ଧମକ ବିଜୟଙ୍କୁ ଆହୁରି ଡ଼ରାଇଦେଇଥିଲା । ବାସ୍ ଏହା ପରେ ଡିଜିଟାଲ୍ ଆରେଷ୍ଟର ଶିକାର ହେଲେ ବିଜୟ ।
ଏହାପରେ ଯାଞ୍ଚ୍ ନାମରେ ବିଜୟଙ୍କ ବ୍ୟକ୍ତିଗତ ଡିଟେଲ୍ସ ହାସଲ କରିବା ଏବଂ ଭିନ୍ନ ଭିନ୍ନ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ୍ କରାଇଲେ ସାଇବର୍ ଠକ । ସର୍ବମୋଟ ୧୧ . ୮୩ କୋଟି ଟଙ୍କା ଉଡ଼ାଇନେଇଗଲେ ଏହି ଠକ । ବିଜୟ କୁମାର ଏନେଇ ନର୍ଥ-ଇଷ୍ଟ୍ ଡିଭିଜନ୍ ସାଇବର୍ ଇକୋନୋମିକ୍ ଆଣ୍ଡ୍ ନାର୍କୋଟିକ୍ସ ପୁଲିସ୍ ଷ୍ଟେସନରେ ଏନେଇ ଅଭିଯୋଗ କଲେ । ବାଙ୍ଗାଲୋର୍ ସାଇବର୍ ପୁଲିସ୍ ଏହି ମାମଲାରେ ତତ୍ପରତା ଦେଖାଇ ଅପରାଧିଙ୍କୁ ଗିରଫ କରିବା ପାଇଁ ଅଣ୍ଟା ଭିଡ଼ିଛି ।