କନକବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଆଇପିଏଲ ଟ୍ରଫି ବିଜୟ ଉତ୍ସବ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ନିଜ ଆଡ଼ୁ ଆରସିବି, ଡିଏନ୍ଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା ରାଜ୍ୟ କ୍ରିକେଟ ଆସୋସିଏସନ (କେଏସ୍ସିଏ) ବିରୋଧରେ ମାମଲା ରୁଜୁ କରିଥିଲା ।
ତେବେ ୧୧ ଜଣ ପୀଡିତଙ୍କ ମଧ୍ୟରେ ୧୩ ବର୍ଷୀୟା ଦିବ୍ୟାଂଶୀ ସବୁଠାରୁ ସାନ ଥିଲେ । ସମ୍ପ୍ରତି ବେଙ୍ଗାଲୁରୁ ଦଳାଚକଟାରେ ପ୍ରାଣ ହରାଇଥିବା ଦିବ୍ୟାଂଶୀ ଶିବକୁମାରଙ୍କ ମାଆ ଗୁରୁତର ଅଭିଯୋଗ କରିଛନ୍ତି ।
ମା’ ଅଶ୍ୱିନୀ ଶିବକୁମାର ଅଭିଯୋଗ କରି କହିଛନ୍ତି, ‘ ଜୁନ୍ ୪ ତାରିଖରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଘଟିଥିବା ଦୁର୍ଘଟଣା ସମୟରେ ମୋ ଝିଅ ଦିବ୍ୟାଂଶୀ ୧ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଅଳଙ୍କାର ପିନ୍ଧିଥିଲା । କିନ୍ତୁ, ଯେତେବେଳେ ମୃତଦେହ ଆମକୁ ହସ୍ତାନ୍ତର କରାଯାଇଥିଲା , ସେତେବେଳେ ଝିଅ ପିନ୍ଧିଥିବା ସୁନାର ଚେନ ଓ କାନଫୁଲ ଗାଏବ ଥିଲା । ଏହି ଘଟଣାର କଡ଼ାକଡ଼ି ଦାବି ପାଇଁ ଜଣେ ମା’ ସମସ୍ତଙ୍କୁ ଅନୁରୋଧ ।’