ଝିଅ ବାହାଘର କରିବା ପ୍ରାୟ ପ୍ରତିଟି ବାପା-ମା’ଙ୍କର ସ୍ବପ୍ନ ଥାଏ । ଭଲ ବର , ଭଲ ଘର , ଭଲ ଶାଶୁଘରେ ଝିଅ ଦେବାକୁ ବାପାମା’ ଚାତକ ପରି ଚାହିଁଥାଆନ୍ତି । ଏଥିପାଇଁ ଯେତେ ପରିଶ୍ରମ କରିବାକୁ ପଡ଼ିଲେ ବି ପଛଘୁଞ୍ଚା ଦିଅନ୍ତି ନାହିଁ ପରିବାର । ଉଦ୍ଦେଶ୍ୟ କେବଳ ଗୋଟିଏ , ଆମ ଝିଅ ସୁଖ,ଶାନ୍ତିରେ ଯାଇ ଶାଶୁଘରେ ରହୁ । କିନ୍ତୁ ସେ ସ୍ବପ୍ନ ହିଁ କ’ଣ ଯାହା ସତ ହୋଇଯାଏ ! ବାପାମା’ଙ୍କ ଏ ସ୍ବପ୍ନ ସାକାର ଯଦି ନହେଲା ବହୁତ ଦୁଃଖ ଲାଗେ , ଆଉ ଦୁଃଖରେ ପିତାମାତା କିଛି ଏମିତି କଠୋର ନିଷ୍ପତ୍ତି ନିଅନ୍ତି ଯାହା ସମସ୍ତଙ୍କୁ ଚକିତ କରେ ।
ଏମିତି ହିଁ ଏକ ଘଟଣା ଘଟିଛି ବାଙ୍ଗାଲୋରରେ । ଟେକ୍ ହବ୍ ବୋଲାଉଥିବା ବାଙ୍ଗାଲୋରରେ ଚାଲିଥିଲା ବାହାଘର । ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲେ କନ୍ୟାଘର । ସାଙ୍ଗସାଥୀ , ପରିବାରକୁ ଧରି କଲ୍ୟାଣ ମଣ୍ଡପରେ ପହଂଚିଲା ବର କିନ୍ତୁ ନିଶାସକ୍ତ ଅବସ୍ଥାରେ । ବର ଏବଂ ବରର ସାଙ୍ଗ ଏତେ ମାତ୍ରାରେ ନିଶା ସେବନ କରିଥିଲେ ଯେ ମଣ୍ଡପରେ ଆସି ପାଟିତୁଣ୍ଡ କରିଥିଲେ ଏବଂ କେଉଁ ଅତିଥିଙ୍କୁ କ’ଣ କହୁଥିଲେ ଏହାର ଆଭାସ ମଧ୍ୟ ତାଙ୍କୁ ନଥିଲା । ନିଶାରେ ଚୁର୍ ବରସାଙ୍ଗମାନେ ବିବାହକୁ ଆସିଥିବା ଯୁବତୀଙ୍କୁ କମେଣ୍ଟ୍ ମାରିବାକୁ ବି ପଛାଇ ନଥିଲେ । କନ୍ୟାଙ୍କ ମା’ ଯେତେବେଳେ ଆଳତୀ କରିବା ପାଇଁ ଥାଳି ଧରି ପହଂଚିଥିଲେ ଫିଲ୍ମ ଷ୍ଟାଇଲରେ ଥାଳିକୁ ଫୋପାଡି ଦେଇଥିଲେ ବର , ଏହାପରେ ଆରମ୍ଭ ହେଲା ବିବାଦ ।
ପୁଅକୁ ବୁଝାଇବା ବଦଳରେ ବର ପରିବାର କନ୍ୟା ପରିବାରକୁ ହେୟଜ୍ଞାନ କଲା ଭଳି କଥାବାର୍ତ୍ତା କଲେ । ଯାହାକୁ ନେଇ କନ୍ୟା ମା’ ଯେଉଁ ସାହାସିକ ନିଷ୍ପତ୍ତି ନେଲେ ତାହା ବୋଧହୁଏ ପ୍ରତିଟି ମା’ଙ୍କୁ କରିବା ଦରକାର । ବିବାହ ପୂର୍ବରୁ ଏତେ , ବିବାହ ପରେ ଝିଅକୁ କେତେ ସୁଖରେ ରଖିବେ ଏଭଳି ପରିବାର ଭାବି ବାହାଘର ଭାଙ୍ଗିଦେଲେ କନ୍ୟାଙ୍କ ମା’ । ଯାହା ପରେ ବିନା ବାହାଘରରେ , ବିନା କନ୍ୟାରେ ଶିଶୁପାଳ ହୋଇ ଖାଲି ହାତରେ ଘରକୁ ଲେଉଟିଲା ବର । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘଟଣା ପରେ ଉକ୍ତ ମହିଳା ଜଣଙ୍କୁ ୟୁଜର୍ସ ଭୁରି ଭୁରି ପ୍ରଶଂସା କରୁଛନ୍ତି । କେହି କହୁଛନ୍ତି , ଈଶ୍ବର କରନ୍ତୁ ଏମିତି ମା’ ସବୁ ଝିଅଙ୍କୁ ମିଳୁ । ଝିଅର ଭବିଷ୍ୟତ ବଞ୍ଚାଇବା ପାଇଁ ମା’ ସାହସିକତାର ପଦକ୍ଷେପ ନେଇଛନ୍ତି ତ ଅନ୍ୟକେହି କହୁଛନ୍ତି , ଭଲ କରିଛନ୍ତି ମା’ ,ଈଶ୍ବରଙ୍କୁ ସାକ୍ଷୀ ରଖି ବିବାହ ହୁଏ କିନ୍ତୁ ଏମାନେ ମଦ ପିଇ ଭଗବାନଙ୍କ ଅସମ୍ମାନ କରୁଥିଲେ ।