କନକ ବ୍ୟୁରୋ: ଇ-କେୱାଇସି ଅପଡେଟ୍ ପାଇଁ ପ୍ରବାସରୁ ଫେରିବେ ହିତାଧିକାରୀ। ରାସନ କାର୍ଡଧାରୀମାନେ ନିଜ କାର୍ଡ ଓ ଆଧାର କାର୍ଡ ସହ ପରିବାରର ସମସ୍ତ ସଦସ୍ୟ ଡିଲରଙ୍କ ପାଖକୁ ଯାଇ ଇ-କେୱାଇସି କରିବା ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବାପରେ ଏବେ ଚିନ୍ତାରେ ଲକ୍ଷାଧିକ ହିତାଧିକାରୀ। ଭିନ୍ନକ୍ଷମ ବ୍ୟକ୍ତି ଡିଲର ପାଖକୁ କେମିତି ଯିବେ? ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି କଣ ଇ-କେୱାଇସି ପାଇଁ କର୍ମକ୍ଷେତ୍ରରୁ ଫେରିବେ? ପେଟ ପାଟଣା ପାଇଁ ଭୁବନେଶ୍ୱର ଆସିଥିବା ଶ୍ରମିକ ଶ୍ରେଣୀର ଲୋକ ଇ- କେୱାଇସି କରିବାକୁ କଣ ଖର୍ଚ୍ଚାନ୍ତ ହୋଇ ନିଜ ଜିଲ୍ଲାକୁ ଯିବେ। ଏଭଳି ଅନେକ ପ୍ରଶ୍ନ ଉତ୍ତର ଖୋଜୁଛନ୍ତି ହିତାଧିକାରୀ। 

ନିକଟରେ ବିଧାନସଭାରେ ସରକାର କହିଥିଲେ ୧୫ ତାରିଖ ସୁଦ୍ଧା ଇ-କେୱାଇସି ଅପଡେଟ୍ ନକଲେ ହିତାଧିକାରୀଙ୍କ ନାଁ କଟିବ ନାହିଁ। ଅପଡେଟ୍ କରିବା ପାଇଁ ପର୍ୟ୍ୟାପ୍ତ ସମୟ ଦିଆଯାଇଛି। ଯାହା ରାସନ କାର୍ଡଧାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢାଇଛି।