କନକ ବ୍ୟୁରୋ: ଚାଷୀଙ୍କୁ ପୂଜା ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହାରାଷ୍ଟ୍ରରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରୁ ଦେଶର ୯କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପିଏମ କିଷାନ ଯୋଜନାର ୧୮ ତମ କିସ୍ତି ଟଙ୍କା । ପାର୍ବଣ ଅବସରରେ ଚାଷୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ମୁମ୍ବାଇ ୱାସିମ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରୁ ଡିବିଟି ଜରିଆରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ୍ ଟଙ୍କା ପଠାଇଛନ୍ତି । ଦେଶର ୯ କୋଟି ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏଁ ଟଙ୍କା ପଠାଇଛନ୍ତି ମୋଦୀ ।
- ଓଡ଼ିଶାରୁ ୩୧ଲକ୍ଷ ୫୧ ହଜାର ଚାଷୀ ଉପକୃତ
- ବାଦ ପଡିଥିବା ଚାଷୀ କରିପାରିବେ ଆବେଦନ
ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପିଏମ କିଷାନ ଯୋଜନାରେ ଓଡିଶାର ୩୧ଲକ୍ଷ ୫୧ ହଜାର ଚାଷୀଙ୍କ ଖାତାକୁ ଟଙ୍କା ଯାଇଛି । ଯେଉଁମାନେ ଯୋଜନାରୁ ବାଦ ପଡିଛନ୍ତି, ସେମାନେ ମଧ୍ୟ ଆଗକୁ ସାମିଲ ହୋଇ ପାରିବେ ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ତେବେ ସାମିଲ ହେବା ପାଇଁ ଜନସେବା କେନ୍ଦ୍ରରେ ଆବେଦନ କରିପାରିବେ । ନଭେମ୍ବର ୮ ପର୍ଯ୍ୟନ୍ତ ରହିଛି ଆବେଦନ ତାରିଖ ।
ପିଏମ କିଷାନ ଟଙ୍କା ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ଚାଷୀ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପିଏମ କିଷାନ ଯୋଜନାରେ ପ୍ରତିବର୍ଷ ତିନିଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଯାଉଛି । ତିନିଟି କିସ୍ତିରେ ମୋଟ ୬ ହଜାର ଟଙ୍କା ପଠାଉଛନ୍ତି ମୋଦୀ ସରକାର । ଜୁନ୍ ୧୮ରେ ମିଳିଥିଲା ୧୭ ତମ କିସ୍ତି ।