କନକ ବ୍ୟୁରୋ: ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତର ଆରମ୍ଭରୁ ଝୁଣ୍ଟିଛି । ବୁଧବାର ନିଜ ଘରୋଇ ପଡ଼ିଆ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜକ ଭାରତ ୧-୩ ଗୋଲ୍‌ରେ ଶକ୍ତିଶାଳୀ ବେଲଜିୟମ୍‌ଠୁ ହାରିଯାଇଛି । ପ୍ରଥମ ତିନି କ୍ବାର୍ଟର୍‌ରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଶେଷ କ୍ବାର୍ଟର୍‌ରେ କିନ୍ତୁ ବେଲଜିୟମ୍‌ ବାଜି ମାରିନେଇ କ୍ରମାଗତ ଦ୍ବିତୀୟ ବିଜୟ ଲାଭ କରିଥିଲା । ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା । ଦ୍ବିତୀୟ କ୍ବାର୍ଟର୍‌ରେ ନେଲସନ୍‌ ଓନାନା (୨୩ ମିନିଟ୍‌)ଙ୍କ ଫିଲ୍‌ଡ ଗୋଲ୍‌ରେ ଭ୍ରମଣକାରୀ ବେଲ୍‌ଜିୟମ୍‌ ପ୍ରାରମ୍ଭିକ ଲିଡ୍‌ ନେଇଥିଲା । ୨୯ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗକୁ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ଗୋଲ୍‌ ଦେଇ ସ୍ଥିତି ସମାନ କରି ଦେଇଥିଲେ । ତୃତୀୟ କ୍ବାର୍ଟର୍‌ ବି ଗୋଲ୍‌ଶୁନ୍ୟରେ ଶେଷ ହୋଇଥିଲା । କିନ୍ତୁ ଚତୁର୍ଥ କ୍ବାର୍ଟରରେ ଭ୍ରମଣକାରୀ ‌ଦଳ ଦୁଇଟି ଗୋଲ୍‌ ଲଦି ବିଜୟୀ ହୋଇଥିଲା । ଥୋମାସ କ୍ରଲ୍‌ସ (୫୩ ମିନିଟ୍‌) ଓ ଆର୍ଣ୍ଣୋ ଭାନ୍‌ ଡିଜେଲ୍‌ (୫୭ ମିନିଟ୍‌) ଏହି ଦୁଇ ଗୋଲ୍‌ ଦେଇଥିଲେ । ଗୁରୁବାର ଭାରତ ନିଜର ଦ୍ବିତୀୟ ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ । 

Advertisment

ଏହା ବି ପଢ଼ନ୍ତୁ: ଟି-୨୦ ବିଶ୍ୱକପ: ବିଜୟରୁ ଅଷ୍ଟ୍ରେଲିଆର ଅଭିଯାନ ଆରମ୍ଭ