କନକ ବ୍ୟୁରୋ : ଆଜି ଦ୍ୱିତୀୟ ଦିନରେ ବି ହୋଇ ପାରିଲା ନାହିଁ ଶିକ୍ଷକ ନିଯୁକ୍ତି । ଆଦିବାସୀ ନେତା, ଜନପ୍ରତିନିଧିଙ୍କ ବିରୋଧ ଯୋଗୁ ଆଜି ମଧ୍ୟ ଚୁକ୍ତି ପତ୍ର ସ୍ୱାକ୍ଷର ନକରି ଫେରିଗଲେ ଚୟନ ହୋଇଥିବା ପ୍ରାର୍ଥୀ। ସେପଟେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ଆଗାମି ୪ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚକଅଖ ବନ୍ଦ ଡାକରା ଦେଇଛି ମିଳିତ କ୍ରୀୟାନୁଷ୍ଠାନ କମିଟି । ତେବେ ଏହି ବନ୍ଦ ଡାକରା ମଧ୍ୟରେ ଆଗାମି ୫ ତାରିଖରେ କଳିଙ୍ଗ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବ୍ୟାପି ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ପିଲା ମାନେ କେମିତି ଯୋଗ ଦେବା, ତାହାକୁ ନେଇ ଚିନ୍ତା ରେ ଶିକ୍ଷା ବିଭାଗ ଓ ପ୍ରଶାସନ । 

Advertisment

ମାଲକାନଗିରିରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିକୁ ନେଇ ସ୍ଥାନୀୟ ଜନପ୍ରତିନିଧି, ଆଦିବାସୀ ନେତା ଓ ବିଭିନ୍ନ ସଙ୍ଗଠନର ବିରୋଧ ଜାରି ରହିଛି । ଦ୍ୱିତୀୟ ଦିନରେ ଜିଲ୍ଲାରେ ୨୪୭ ଜଣ ଶିକ୍ଷକଙ୍କ ଚୁକ୍ତିପତ୍ର ସ୍ୱାକ୍ଷର ଲାଗି ଡକା ଯାଇଥିଲା । କିନ୍ତୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ହଟ୍ଟଗୋଳ ଓ ବିରୋଧ ଯୋଗୁ ଫେରି ଯାଇଛନ୍ତି ଚୟନ ହୋଇଥିବା ପ୍ରାର୍ଥୀ । 

ଆସନ୍ତା ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳିଙ୍ଗ ଷ୍ଟାଡିଅମରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସମସ୍ତ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଠିକ୍ ଏହାର ପୂର୍ବ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଫଳରେ ଶିକ୍ଷା ବିଭାଗର ସବୁ ବ୍ୟବସ୍ଥା ଭଣ୍ଡୁର ହୋଇଛି । ପିଲାଙ୍କ ପରିବହନ ଲାଗି ହୋଇଥିବା ସ୍ୱତନ୍ତ୍ର ବସ ବ୍ୟବସ୍ଥା ବାତିଲ ହୋଇଛି । ସମସ୍ତ ପ୍ରାର୍ଥୀ ନିଜନିଜ ବ୍ୟବସ୍ଥାରେ ରାଜଧାନୀରେ ପହଁଚିବା ଲାଗି ପରାମର୍ଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।