କନକ ବ୍ୟୁରୋ : ତୁଳନାକୁ ନେଇ ବିବାଦ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେଜ୍ରିୱାଲଙ୍କୁ ତୁଳନା କଲେ ରାଏବରେଲୀ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ ଏବେ ଦେଖାଦେଇଛି ବଡ ବିବାଦ ।  ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିବା ସହ କେଜ୍ରିୱାଲ କହିଛନ୍ତି , ରାହୁଲଙ୍କ ବୟାନ ଉପରେ ପ୍ରତିଉତର ରଖିବା ଜରୁରୀ ବୋଲି ସେ ମନେ କରୁନାହାଁନ୍ତି । ଯେଉଁଠି କଂଗ୍ରେସ ନିଜର ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି ସେଠି ଆପ ଦେଶକୁ ବଞ୍ଚାଇବାକୁ ଲଢ଼ୁଛି ।

Advertisment

ବିବାଦ ସେତିକି ବେଳେ ଉଠିଥିଲା ଯେତେବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ସମାନ ଢ଼ଙ୍ଗର ରାଜନେତା କହିଥିଲେ । ମୋଦୀଙ୍କ ପରି ଆପ ମୁଖ୍ୟ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତି, ଆଦାନୀ, ଦରଦାମ ବୃଦ୍ଧି ଓ ଜାତିଭିତିକ ଜନଗଣନା ପ୍ରସଙ୍ଗରେ ଚୁପ ରୁହନ୍ତି ବୋଲି ନିର୍ବାଚନୀ ରାଲିରେ କହିଥିଲେ ରାହୁଲ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ସହଯୋଗୀ ଦଳ ଏବେ ମୁହାଁମୁହିଁ ସ୍ଥିତିରେ । ଯାହାର ସିଧା ଫାଇଦା ଉଠାଇବାକୁ ନିଶ୍ଚୟ ଚେଷ୍ଟା କରିବ ବିଜେପି । ଲୋକସଭା ନିର୍ବାଚନରେ ଦିଲ୍ଲୀ ସବୁ ଆସନ ବିଜେପି ପୋଛି ନେବା ପରେ ଏକାକୀ ଲଢ଼ିବାକୁ ନିଷ୍ପତି ନେଇଥିଲା ଆପ । ଏହା ପରଠୁ କଂଗ୍ରେସ ସହ ଦଳ ସବୁ କିଛି ଠିକ ନଥିବା ସ୍ପଷ୍ଟ ହେବାରେ ଲାଗିଛି । ସେପଟେ ଆପକୁ ଟିଏମସି, ସମାଜବାର୍ଦି ପାର୍ଟି  ଓ କିଛି ସହଯୋଗୀ ଦଳ ସମର୍ଥନ ଦେବା ଘଟଣାକୁ ହୁଏତ ରାହୁଲ ସହଜରେ ହଜମ କରିପାରୁନାହାଁନ୍ତି  ଓ ଏଭଳି ବୟାନ ଦେଉଥିବା ବିଜେପି କହିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ଇଣ୍ଡିମେଣ୍ଟର ସହଯୋଗୀ ଦଳ ଓ ଏହାର ମୁଖ୍ୟଙ୍କୁ ରାହୁଲ ଗାନ୍ଧୀ ସିଧାସଳଖ ଟାର୍ଗେଟ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମମତା, ଉତରପ୍ରଦେଶ ନିର୍ବାଚନ ସମୟରେ ଅଖିଳେଶ ଓ ହରିୟାଣା ନିର୍ବାଚନ ସମୟରେ କେଜ୍ରିୱାଲଙ୍କୁ ମୋଦୀଙ୍କ ସହ ତୁଳନା କରି ଟାର୍ଗେଟ କରିଥିଲେ ରାହୁଲ । ବିଜେପି ସରକାର ସହ ମୁକାବିଲା ପାଇଁ ବିରୋଧୀ ମେଣ୍ଟ ଗଠନ କରିଥିଲେ । ପ୍ରଶ୍ନ ଉଠୁଛି

ଏକାଠି ଲଢ଼ିବା ବଦଳରେ କାହିଁକି ପରସ୍ପର ସହ ଲଢ଼ୁଛନ୍ତି ବିରୋଧୀ?
କଂଗ୍ରେସ ବଡ ଭାଇ ଭୂମିକା ତୁଳାଇବା ବଦଳରେ ନିଜ ଜିଦରେ କାହିଁକି ଅଟଳ ରହୁଛି?
କଂଗ୍ରେସ ଯଦି ସମସ୍ତଙ୍କୁ ଏକାଠି ନେଇ ଚାଲିବା ବଦଳରେ ଏକୁଟିଆ ଚାଲିବ ଆଗକୁ କ’ଣ ରହିବ ମେଣ୍ଟର ଭବିଷ୍ୟତ?
ସମୟ ଥାଉ ଥାଉ ମେଣ୍ଟ ବଞ୍ଚାଇବାକୁ ସ୍ବର ବଦଳାଇବେ କି ରାହୁଲ?

ତେବେ ଏଭଳି ମନାନ୍ତର ଓ ମତାନ୍ତର ଭିତରେ ବିରୋଧୀ ଶିବିରରେ ଆଗକୁ କମ୍ପନ ସୃଷ୍ଟି ହେଉଛି ନା ବୁଝାମଣାରେ ସବୁ କିଛି ଠିକ ରହୁଛି ସେକଥା ଆଗାମୀ ଦିନରେ ଜଣାପଡିବ  ।