କନକ ବ୍ୟୁରୋ : ବଡ଼ ପରଦାକୁ ଆସିବା ଆଗରୁ ବଡ଼ ବିବାଦ। ଚର୍ଚ୍ଚାରେ ଓଡ଼ିଆ ଫିଲ୍ମ'ସନାତନୀ-କର୍ମ ହିଁ ଧର୍ମ'। ଗୁଇନ୍ଦା ବିଭାଗର ସତର୍କତା ସତ୍ତ୍ୱେ ଫିଲ୍ମ ରିଲିଜ କରିବାକୁ ଜିଦ୍ ଧରିଛନ୍ତି ପ୍ରଯୋଜକ ବିଜୟ କାଣ୍ଡୋଇ। କହିଛନ୍ତି ଏହି ଫିଲ୍ମକୁ ନେଇ କୌଣସି ଉତ୍ତେଜନା ସୃଷ୍ଟି ହେବ ନାହିଁ। ଫିଲ୍ମରେ କୌଣସି ଧର୍ମକୁ ଅପମାନ କରାଯାଇ ନାହିଁ। ଫିଲ୍ମରେ ସନାତନ ଧର୍ମର କିଭଳି ରକ୍ଷା ହୋଇପାରିବ ତାହା ପ୍ରଦର୍ଶିତ ହୋଇଛି। ଗୁଇନ୍ଦା ସତର୍କତାକୁ ଖାତିର ନକରି ୭ ତାରିଖରେ ଫିଲ୍ମ ରିଲିଜ କରିବାକୁ ସିନେ ସଂସ୍ଥା ଅଡି ବସିଛି ।
ଓଡ଼ିଆ ଫିଲ୍ମ, ରିଲିଜ ହେବ ଓଡ଼ିଶାରେ। କିନ୍ତୁ ଫିଲ୍ମ ରିଲିଜ ପାଇଁ ସିନେ ସଂସ୍ଥା ଓଡ଼ିଶାରୁ ନୁହେଁ ମୁମ୍ୱାଇ ସେନସର ବୋର୍ଡଠୁ ଆଣିଛି ୟୁଏ ସାର୍ଟିଫିକେଟ। ଫିଲ୍ମରେ ଅଛି ଧର୍ମାନ୍ତରୀକରଣ ଓ ଧର୍ମାନ୍ତରିତଙ୍କ କାହାଣୀ। କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ରାଜଧାନୀରେ ପ୍ରେସମିଟ କରି ସ୍ପଷ୍ଟୀକରଣ ରଖିଛି ସିନେ ସଂସ୍ଥା ।
ଅତୀତରେ ଓଡ଼ିଶାରେ ଧର୍ମାନ୍ତରୀକରଣକୁ ନେଇ ଦଙ୍ଗା ହୋଇଛି। ସେହି କ୍ଷତ ମନରୁ ନଲିଭିଣୁ ପୁଣି ସାଂପ୍ରଦାୟିକ ସଦଭାବନାକୁ ବିଗାଡ଼ିବା ଭଳି ବିଷୟବସ୍ତକୁ ନେଇ ଫିଲ୍ମ ପ୍ରସ୍ତୁତ କରାଯାଇଛି। ଗୁଇନ୍ଦା ବିଭାଗର ସତର୍କତା ସତ୍ତ୍ବେ ଫିଲ୍ମ ରିଲିଜ ହେଲା ପରେ, ଯଦି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଲେ ଉତ୍ତରଦାୟୀ କିଏ ରହିବ?