ନୂଆବର୍ଷଟା ଆସିଲେ ପିଲାବେଳଟା କାଇଁ ଭାରି ମନେପଡ଼େ । ନବବର୍ଷ ଆଗମନକୁ ୩ , ୪ ଦିନ ଥିବ ବାପାଙ୍କ ପକେଟରୁ ଟଙ୍କେ , ଦୁଇଟଙ୍କା ଚୋରାଇ ଦୌଡିଯାଉଥିଲୁ ବହି ଦୋକାନ ପାଖକୁ । ତାପରେ କିଣା ହେଉଥିଲା ମନ ପସନ୍ଦର ଗ୍ରୀଟିଙ୍ଗ୍ସ କାର୍ଡ । ପ୍ଲେନ୍ , ଫୋଲ୍ଡିଙ୍ଗ୍ , ହିରୋ-ହିରୋଇନ୍ ଥିବା କାର୍ଡ ଓଃ ସେଥିରେ ପୁଣି କେତେ ଯେ କୌତୁକିଆ ଢଗଢମାଳି ।
ମଣ୍ଡା ଫିଟା ଗୋଲ ଗୋଲ , ଗ୍ରୀଟିଙ୍ଗ୍ସ ଯାଉଛି କବାଟ ଖୋଲ
ଗୋଲାପ ଗଛରେ ଟିକିଟିକି କଣ୍ଟା , ମନେ ପକାଉଥିବ ଘଣ୍ଟାକୁ ଘଣ୍ଟା ।
ଗୋବର ଗଦାରେ ଫୁଟିଛି କଇଁ ଗରିବ ସାଙ୍ଗକୁ ଭୁଲିବ ନାହିଁ ।
SUN ସିନା ଲୁଚିଯାଏ SKY କେବେ ଲୁଚେନା .. ତୁମେ ସିନା ଭୁଲିଯାଅ , ମୁଁ କେବେ ଭୁଲେନା
କାର୍ଡ କିଣାହେଉଥିଲା , ଢଙ୍ଗ ଲେଖାହେଉଥିଲା ଆଉ ତାପରେ ସାଙ୍ଗ ନଦେଖିଲା ପରି ବ୍ୟାଗରେ ଲୁଚାଇ ରଖାଯାଉଥିଲା ଏହି ଗ୍ରୀଟିଙ୍ଗ୍ସ କାର୍ଡ । ସେଥିରେ ପୁଣି କାଟାଗୋରି ବି ଥିଲା ଆଜ୍ଞା ବେଷ୍ଟ୍ ଫ୍ରେଣ୍ଡ୍ ପାଖକୁ ଯିବ ସବୁଠୁ ଭଲ ସୁନ୍ଦର ଦିଶୁଥିବା କାର୍ଡ , ବଳକା ହାଏବାଏ ଫ୍ରେଣ୍ଡ୍ ପାଇବେ ହିରୋ-ହିରୋଇନ୍ ଥିବା କାର୍ଡ । ସେ ବି କି ସୁବର୍ଣ୍ଣ ସମୟ ଥିଲା କହିଲେ। ୫୦ ପଇସାର ଗୋଟିଏ କାର୍ଡ ଯେଉଁଥିରେ ସାଙ୍ଗ ପାଇଁ ଲେଖାଯାଉଥିଲା କେତେ ଗୀତ , କ’ଣ ସେତେବେଳର ସେ ଖୁସି ଆଜିର ଲକ୍ଷେ ଟଙ୍କିଆ ଫୋନର ଗୋଟିଏ ହାପି ନ୍ୟୁ ଇୟର୍ ମେସେଜ୍ ଦେଇପାରିବ? ସାଙ୍ଗ ତୁ କେତୋଟି କାର୍ଡ ପାଇଲୁ , ଦେଖ ମୁଁ ତୋଠୁ ଅଧିକ କାର୍ଡ ପାଇଛି .. ପିଲାବେଳେ ଏ କଥାବାର୍ତ୍ତାର ମୁକସାକ୍ଷୀ ପାଲଟିଥିବା ଗ୍ରୀଟିଙ୍ଗ୍ସ କାର୍ଡର ମୂଲ୍ୟ ସିନା ୫୦ ପଇସା ଥିଲା କିନ୍ତୁ ଭଲପାଇବା ଅମୂଲ ମୂଲ ଥିଲା । ଆଜିର ଧାଁ ଦଉଡ଼ ସମୟରେ କ୍ୟାରିୟର୍ ଗଢିବା , ଟଙ୍କା ରୋଜଗାର କରିବା ଚକ୍କରରେ ଆମେ ଆମ ପିଲାଳିଆମିକୁ ମାରି ମାରି ଚାଲିଛେ । କିଏ ଦେଖିଲେ କ’ଣ ଭାବିବ ଭଳି ଅବାନ୍ତର ପ୍ରଶ୍ନର ପଙ୍କରେ ପଡ଼ି ଆମେ ନା ମନଖୋଲା ନାଚିପାରୁନେ ନା ଠୋ ଠା କରି ହସିପାରୁଛେ । ଆମର ଏ ଚିନ୍ତାଧାରା ବୋଧହୁଏ ଗ୍ରୀଟିଙ୍ଗ୍ସ କାର୍ଡର ଜୀବନକୁ ବି ଆଗକୁ ବଢିବାକୁ ଦେଲାନି । ସମସ୍ତେ ସମସ୍ତଙ୍କ ଜୀବନରେ ବ୍ୟସ୍ତ ଫୋନ୍ କରିବାକୁ ସମୟ ନାହିଁ , ଗ୍ରୀଟିଙ୍ଗ୍ସ କାର୍ଡ କ’ଣ ଲେଖିବେ? ଏ କେଉଁ ସମୟ କଥା କହୁଛନ୍ତି ଆଜ୍ଞା କ’ଣ ସାଙ୍ଗଙ୍କ ପାଇଁ ସ୍ବଳ୍ପ ସମୟ କାଢିପାରିବାନି , ଏ ଫରମାଲିଟି , କ୍ରାଇଟେରିଆ କେବେଠୁ ସାଙ୍ଗଙ୍କ ପାଖରେ ଲାଗୁ ହେଲାଣି ।
ପିଲାବେଳେ ଯେଉଁ ବହି ଦୋକାନରେ ମାଳ ମାଳ ହୋଇ ଗ୍ରୀଟିଙ୍ଗ୍ସ କାର୍ଡ ଓହଳୁଥିଲା ଆଜି ସେ ଦୋକାନରେ ୱିଙ୍ଗସ୍ ଚାଇମ୍ ସ୍ଥାନ ନେଇଛି । ଯଦି କାଁ ଭାଁ କେଉଁ ଦୋକାନରେ କାର୍ଡ ବିକ୍ରି ହେଉଥିବ ଦେଖିଲେ ଖୁସି ଲାଗେ କିନ୍ତୁ କିଣୁଛି କିଏ? ପିଲାବେଳେ ପାଖରେ ଟଙ୍କା ନଥିଲା ମନ ଚାହୁଁଥିବା କାର୍ଡଟି ଆଉ କିଏ ନେଇଗଲେ ଭାରି ଦୁଃଖ ହେଉଥିଲା । ଏବେ ପାଖରେ ଟଙ୍କା ଅଛି ଖୋଲିଲେ ଗ୍ରୀଟିଙ୍ଗ୍ସ କାର୍ଡ ବି ପାଇଯିବା କିନ୍ତୁ କାର୍ଡ ଲେଖିବା ପାଇଁ ଆମ ପାଖରେ ଇଚ୍ଛା କେତେ ଅଛି? ବାଡିଆପିଟା ହୋଇ କିଣୁଥିବା କାର୍ଡ ଏବେ ମାଗଣାରେ ଦେଲେ ବି ଉପଯୁକ୍ତ ସ୍ଥାନରେ ପହଞ୍ଚିବ କି ନାହିଁ ସନ୍ଦେହ ।
ପ୍ରତିବର୍ଷ ନୂଆବର୍ଷ ଆସେ ଆଉ ମୋବାଇଲରେ ହାପି ନ୍ୟୁ ଇୟର୍ ମେସେଜ୍ ସହ ବର୍ଷର ଶୁଭକାମନା ବି ଶେଷ ହୁଏ । କିନ୍ତୁ ଏଥିରେ ପ୍ରେମଭାବ , ମନେ ପକାଇଲା ଭଳି କାମ ଆମେ କ’ଣ କଲେ? ମେସେଜ୍ ଡିଲିଟ୍ ହୋଇଯିବ , କିନ୍ତୁ ଗ୍ରୀଟିଙ୍ଗ୍ସ କାର୍ଡ .. କେତେବେଳେ କେଉଁ ବହି ଖୋଲୁ ଖୋଲୁ ହାତଲେଖା କାର୍ଡଟି ଆଗକୁ ଆସିଗଲେ ସେ କୌତୁକିଆ ଢଗ ପଢୁ ପଢୁ ମୁହଁରେ ଯେଉଁ ହସ ଖେଳିବ ତାକୁ କ’ଣ ମେସେଜ୍ ପଢିଲେ ମିଳିବ? ଆଗକୁ ୨୦୨୫ ଆସୁଛି ଯଦି ପୁରୁଣା ଦିନକୁ ଓଲଟି ଚାହିଁବାକୁ ଇଚ୍ଛା ହୁଏ ତାହେଲେ ଗ୍ରୀଟିଙ୍ଗ୍ସ ଖୋଜିବା ଆରମ୍ଭ କରନ୍ତୁ । ଆଉ ସେଇ ପୁରୁଣା ଢଗଢମାଳିକୁ କାର୍ଡ ଉପରେ ଛାପି ଦିଅନ୍ତୁ , ସାଙ୍ଗ ପାଖକୁ ଯାଇ କାର୍ଡଟିକୁ ବଢାଇ ଦିଅନ୍ତୁ । ପିଲାବେଳ ଯଦି ମନେ ନ ପଡିଯିବ କହିବେ ..