କନକ ବ୍ୟୁରୋ: ଯୁବ କଂଗ୍ରେସ କର୍ମୀ ବିଷ୍ଣୁପଦଙ୍କ ବାସଭବନ ଘେରାଉ କରିବାକୁ ଯିବାବେଳେ, ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ବିକ୍ଷୋଭକାରୀଙ୍କୁ ପୋଲିସ ଅଟକାଇବା ପୂର୍ବରୁ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇ ଛତ୍ରଭଙ୍ଗ ଦେଇଥିଲେ।
- ବିଷ୍ଣୁଙ୍କ ଘର ସାମ୍ନାରେ ମହୁମାଛି ବିନ୍ଧିଲେ
- କଂଗ୍ରେସ କର୍ମୀ ଯିଏ ଯୁଆଡେ ପାରିଲେ ଧାଇଁଲେ
ଫରେଷ୍ଟ ପାର୍କ ସ୍ଥିତ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ସାମ୍ନା ରାସ୍ତାରେ କିଏ ପାଲ ଘୋଡାଇ ହୋଇ ବସିଥିଲେ, ତ ପୁଣି କିଏ ମୁଣ୍ଡକୁ ତଳକୁ କରି ଶୋଇ ରହିଥିଲେ। ଚତୁଃପାର୍ଶ୍ବରୁ ପୋଲିସ ଘେରିରହିଥିଲା। ମୁଣ୍ଡ ଟେକିବାକୁ କେହି ସାହସ କରୁନଥିଲେ। କାରଣ ମୁଣ୍ଡ ଟେକିଲେ ପୁଣି ମାରିବ ମହୁମାଛି। ଦୀର୍ଘ ଘଣ୍ଟାଏ କାଳ ଏମିତି ରାସ୍ତାରେ ଶୋଇ ରହିଥିଲେ ଯୁବ କଂଗ୍ରେସର କର୍ମୀ। ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ବି ମହୁମାଛି ଆକ୍ରମଣରୁ ବର୍ତ୍ତିନଥିଲେ। ମହୁମାଛିଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଯିଏ ଯେଉଁଠି ପାଇଲେ ସେଠି ବସି ପଡିଥିଲେ କିମ୍ବା ଶୋଇ ପଡିଥିଲେ। ସାମ୍ବାଦିକ ବି ଉପାୟଶୂନ୍ୟ ହୋଇ କଂଗ୍ରେସ କର୍ମୀଙ୍କ ସହ ରାସ୍ତାରେ ଶୋଇବାକୁ ବାଧ୍ୟ ହୋଇଥିଲେ।
ଘଟଣାଟି କିଛି ଏମିତି ଥିଲା। ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପରେ ଯୁବ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ବାସଭବନ ଘେରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ବାସଭବନ ନିକଟରେ ପହଞ୍ଚିବା ପୂର୍ବରୁ ମାଡି ଆସିଥିଲେ ମହୁମାଛି ପଲ। ରାସ୍ତାରେ ଯାହାକୁ ପାରିଲେ ବିନ୍ଧିଥିଲେ। ମହୁମାଛି ଆକ୍ରମଣକୁ ସହ୍ୟ କରିନପାରି ଯିଏ ଯୁଆଡେ ପାରିଲେ ଧାଇଁଲେ। ସ୍ଥିତି ଏମିତି ହେଲା ଯେ, କିଛି ଯୁବ କଂଗ୍ରେସକର୍ମୀଙ୍କୁ ହସ୍ପିଟାଲରେ ସାଲାଇନ ନେବାକୁ ପଡିଲା। କିନ୍ତୁ ମହୁମାଛି ଆକ୍ରମଣ ଆନ୍ଦୋଳନକୁ ଅଟକାଇ ପାରିନଥିଲା। ପୁଣିଥରେ ସାହସ ଜୁଟାଇ ବିଷ୍ଣୁଙ୍କ ଘର ଉପରକୁ ଟମାଟୋ ଓ ଅଣ୍ଡା ମାଡ କରିଥିଲେ କଂଗ୍ରେସ କର୍ମୀ।
ସୂଚନାଯୋଗ୍ୟ ଯେ, ଦୁର୍ନୀତିରେ ଛନ୍ଦି ହୋଇ ବିବାଦୀୟ ହୋଇଥିବା ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନେଇ ପୂର୍ବରୁ ମଧ୍ୟ କଂଗ୍ରେସ ଆନ୍ଦୋଳନ କରିଛି। ଏବେ ସିବିଆଇ ସମନ ପରେ ବିଷ୍ଣୁଙ୍କୁ ପଦରୁ ହଟାଇବାକୁ ଦାବି କରିଛି ଯୁବକଂଗ୍ରେସ। ଏପରିକି ଆଗକୁ ବିଷ୍ଣୁଙ୍କୁ ରାସ୍ତାରେ ଚଲାଇ ଦିଆଯିବନି ବୋଲି ଧମକ ଦେଇଛି କଂଗ୍ରେସର ଯୁବ ବ୍ରିଗେଡ।