ଭୂତକୋଠି ପାଲଟିଛି ବିଏଡ୍ କଲେଜ ; ବିଲ୍ଡିଂରେ ମାଡ଼ିଗଲାଣି ଅନାବନା ଗଛ

ଭୂତକୋଠି ପାଲଟିଲାଣି ରାୟଗଡ଼ା ଅମ୍ଲାଭଟା ବିଏଡ୍ କଲେଜ ।  ଘେରିଗଲାଣି ଅନାବନା ଗଛ  । ୮ ବର୍ଷ ପରେ କାର୍ଯ୍ୟକାରୀ  ନହେବାରୁ ଉଠିଲା ପ୍ରଶ୍ନ  । ନିରାଶ ଛାତ୍ରଛାତ୍ରୀ ।

BEd college, raygada

BEd college, raygada Photograph: (KanakNews)

କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟ ସରକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ  ପାଇଁ ତାଲିମ ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳାରୁ ବହୁ  ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇପାରୁନି । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ରାୟଗଡ଼ା ବିଏଡ୍ କଲେଜ। 

ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅମ୍ଲାଭଟା ଛକରେ ଥିବା ବିଏଡ୍‌ କଲେଜ, କାର୍ଯ୍ୟକ୍ଷମ ନହେବା କାରଣରୁ ଏହି କୋଠା ଏବେ ଏକ ଭୂତକୋଠିରେ ପରିଣତ ହୋଇଛି । କୋଠା ଚାରିପାଖରେ ଜଙ୍ଗଲ ପାଲଟିଗଲାଣି । କୋଠାରେ ଲାଗିଥିବା ଝରକା କବାଟ ସାଙ୍ଗକୁ ବିଦ୍ୟୁତ ସରଞ୍ଜାମ ଚୋରି ହୋଇଗଲାଣି । ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଏହି କୋଠା । ରାୟଗଡ଼ା ଜିଲ୍ଲାରେ ବିଏଡ୍ କଲେଜ ନଥିବାରୁ ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।


୨୦୧୭ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୮ କୋଟି ଟଙ୍କାରେ ବିଏଡ୍ କଲେଜ ନିର୍ମାଣ ହୋଇଥଲା । ୨୦୨୨ରେ ବିଏଡ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ରାୟଗଡ଼ା ମଡେଲ୍‌ ଡିଗ୍ରି କଲେଜକୁ ଚିଠି ଲେଖିଥିଲା ଉଚ୍ଚଶିକ୍ଷା ବିଭାଗ । ମଡେଲ୍ ଡିଗ୍ରି କଲେଜ ଅଧ୍ୟକ୍ଷ ବିଏଡ୍ କଲେଜରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ବାରମ୍ବାର ଆଇଟିଡିଏ, ପିଡବ୍ଲ୍ୟୁଡି ଓ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ରାୟଗଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ କରି ଶିକ୍ଷକତା କରିବା  ପାଇଁ ଦେଖିଥିବା ସ୍ବପ୍ନ ତାହା ସ୍ୱପ୍ନରେ ରହିଯାଇଛି । ବିଏଡ୍ କଲେଜ ଖୋଲିବା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପକୁ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe