କନକ ବ୍ୟୁରୋ : ଜଙ୍ଗଲ ଛାଡି ଏବେ ବନ୍ୟଜନ୍ତୁ ସହର ମୁହାଁ ହୋଇଛନ୍ତି । ନୂଆପଡ଼ା ସହରରେ ଏବେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ନିକଟରେ ନୂଆପଡ଼ା ସାଲେଭଟା ରାସ୍ତାରେ ଦୁଇଟି ଭାଲୁ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୂଚନା ଅନୁଯାୟୀ, ସାଲେଭଟା ମୁଖ୍ୟ ରାସ୍ତାରେ ଭାଲୁ ଦୁଇଟି ବୁଲୁଥିବାର ଦେଖାଯାଇଥିଲା । ଏହି ଦୃଶ୍ୟ ଦେଖିବା ପରେ ପଥଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଓ ଭୟ ସୃଷ୍ଟି ହୋଇଥିଲା । କିଛି ଲୋକ ଦୂରରୁ ନିଜ ମୋବାଇଲରେ ଭାଲୁ ବୁଲୁଥିବାର ଭିଡିଓ ରେକର୍ଡ କରିଥିଲେ । ତେବେ କେବଳ ଏହି ଘଟଣା ନୁହେଁ, ଗତ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ଭାଲୁ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ ନୂଆପଡ଼ା ସଦର ବ୍ଲକ ବିଜ୍ଞାନ କଲେଜ ଓ ଅଗ୍ନିଶମ ବିଭାଗ ଅଫିସ ନିକଟରେ ୩ଟି ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେହିପରି ନିକଟ ଅତୀତରେ ନୂଆପଡ଼ା ରେଳଷ୍ଟେସନ ପରିସରରେ ମଧ୍ୟ ଭାଲୁ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଥିଲା ।

Advertisment

ପୂର୍ବରୁ ନୂଆପଡ଼ାର ସାଳିହା ଜଙ୍ଗଲ ଭାଲୁ କରିଡ଼ର ଭାବେ ପରିଚିତ ଥିଲା । କିନ୍ତୁ ବର୍ତ୍ତମାନ ବ୍ୟାପକ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ସହିତ ପଥର ଖାଦାନ ପାଇଁ ବ୍ଲାଷ୍ଟିଂ କରାଯାଉଥିବାରୁ ବନ୍ୟଜନ୍ତୁଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ନ ପାଇବା କାରଣରୁ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ବାଧ୍ୟ ହୋଇ ଜନବସତି ଆଡକୁ ଚାଲି ଆସୁଛନ୍ତି । ବାରମ୍ବାର ସହର ମଧ୍ୟରେ ଭାଲୁ ପ୍ରବେଶ କରୁଥିବାରୁ ନୂଆପଡ଼ାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି । ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ଅଧିକ ପଢ଼ନ୍ତୁ--୨୦୨୭ ବିଶ୍ୱକପ୍ ଯାଏଁ କୋଚ୍ ରହିବେ ଗମ୍ଭୀର: ବିସିସିଆଇ ସୂତ୍ର