କନକ ବ୍ୟୁରୋ : ସ୍ୱର୍ଗତଃ ଅରୁଣ ଜେଟଲୀଙ୍କୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବୟାନ ଏବେ ରାହୁଲଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଏନେଇ ଅରୁଣ ଜେଟଲୀଙ୍କ ପୁଅ ରୋହନ ଜେଟଲୀ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ କହିଥିଲେ କି, ସେ ଯେତେବେଳେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ସମର୍ଥନ କରୁଥିଲେ, ସେତେବେଳେ ଏଥିରୁ ଦୂରେଇ ରହିବାକୁ ଅରୁଣ ଜେଟଲୀ ତାଙ୍କୁ ଧମକ ଦେଇଥିଲେ । ଏହାକୁ ନେଇ ରୋହନ କହିଛନ୍ତି, ରାହୁଲ ଗାନ୍ଧୀ ଯେତବେଳେ ବୟାନ ଦେଉଛନ୍ତି ସେତେବେଳେ ସତର୍କ ରୁହନ୍ତୁ । ସେ କହିଛନ୍ତି ଚାଷୀ ଆନ୍ଦୋଳନ ୨୦୨୦ ରେ ଆରମ୍ଭ ହୋଇଥିଲା, ହେଲେ ମୋ ପିତାଙ୍କର ନିଧନ ୨୦୧୯ ରେ ହୋଇଥିଲା ।
ଦିଲ୍ଲୀ କ୍ରିକେଟ ସଂଘର ଅଧ୍ୟକ୍ଷ ରୋହନ କହିଛନ୍ତି, ମୋ ବାପାଙ୍କୁ ବିରୋଧୀଙ୍କୁ ଧମକାଇବା ଭଳି ନଥିଲା । ଅରୁଣ ଜେଟଲୀ ଜଣେ କଟ୍ଟର ଲୋକତାନ୍ତ୍ରିକ ବ୍ୟକ୍ତି ଥିଲେ । ସେ ସମସ୍ତଙ୍କ ସହମତିରେ କାମ କରିବା ଉପରେ ବିଶ୍ୱାସ କରୁଥିଲେ । ଏହାସହ ସେ ରାହୁଲଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାହୁଲ ଯେତେବେଳେ ଦିବଙ୍ଗତ ନେତାଙ୍କ ବାବଦରେ କହୁଛନ୍ତି, ତାଙ୍କୁ ସତର୍କ ହେବାକୁ ପଡ଼ିବ । ଏହା ପୂର୍ବରୁ ମନୋହର ପାରିକରଙ୍କ ବାବଦରେ ବି ଏଭଳି ବିବାଦୀୟ ବୟାନ ରାହୁଲ ଦେଇଥିଲେ । ତେଣୁ ରାହୁଲ ଗାନ୍ଧୀ ମୋ ବାପାଙ୍କ ବିରୋଧରେ ଯେଭଳି ଟିପ୍ପଣୀ ଦେଇଛନ୍ତି ତାକୁ ନେଇ ସେ ଏବେ କ୍ଷମା ମାଗନ୍ତୁ ।
ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ କହିଥିଲେ କି ଯେତେବେଳେ ସଂସଦରେ ନୂଆ କୃଷି ଆଇନ ଉପସ୍ଥାପନ କରାଗଲା କଂଗ୍ରେସ ଦଳ ସହ ମୁଁ ଏହି ଆଇନକୁ ବିରୋଧ କରିଥିଲି । ହେଲେ ଅରୁଣ ଜେଟଲୀ ଏହି ଆଇନକୁ ବିରୋଧ ନକରିବାକୁ ମୋତେ ପରାମର୍ଶ ଆଳରେ ଧମକ ଦେଇଥିଲେ । ଜେଟଲୀ କହିଥିଲେ କି ଯଦି ଆପଣ ଏହି ରାସ୍ତାରେ ଚାଲନ୍ତି, ସରକାରଙ୍କୁ ବିରୋଧ କରନ୍ତି ଓ କୃଷି ଆଇନ ବିରୋଧରେ ସରକାର ସହ ଲଢେଇ କରନ୍ତି ତେବେ ଆମେ ବାଧ୍ୟ ହୋଇ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।