କନକବ୍ୟୁରୋ : ଆପଣ ଯେଉଁ ଗାଡି ଚଲାଉଛନ୍ତି ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ପରିବହନ ବିଭାଗ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଆଜିଠାରୁ ପରିବହନ ବିଭାଗ ଏହି ନୂଆ ନିୟମ ଲାଗୁ କରିବ । ଗାଡିରେ ଇନସୁରାନ୍ସ ନଥିଲେ ଟୋଲ ଗେଟରେ ଜଣାପଡିଯିବ। ଗାଡି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ । ଟୋଲ୍ ଗେଟ୍ ଦେଇ ଯାଉଥିବା ମୋଟର ଯାନଗୁଡ଼ିକର ବୈଧ ବୀମା, ପ୍ରଦୂଷଣ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ
ତାହା ଯାଞ୍ଚ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୨୦୨୨ରୁ ଇ-ଡିଟେକ୍ସନ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟୋଲ୍ ଗେଟ୍ ସହ ଇ-ଡିଟେକ୍ସନ ଆପ୍ଲିକେସନକୁ ସଂଯୋଗ କରାଯାଇ ଏହାର କାର୍ଯ୍ୟକାରିତାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷା କରାଯାଇଛି । ଟୋଲ୍ ଗେଟ୍ ଦେଇ ଯାଉଥିବା ସମସ୍ତ ମୋଟର ଯାନ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ମୋଟର ଯାନର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସରକାରଙ୍କର ଗାଡି ପୋର୍ଟାଲକୁ ଯାଞ୍ଚ କରାଯିବ ଏବଂ ଗାଡିର ବୈଧ କାଗଜପତ୍ର ଅଛି କି ନାହିଁ ତାହା ଦେଖାଇବ ।