ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ହେଉ କିମ୍ବା ଟ୍ରେନ୍-ବସରେ ମିଳୁଥିବା ଖାଦ୍ୟ ପାଖରେ ପ୍ଲେଟ୍ ନଥିଲେ ଦୋକାନୀ ଖବରକାଗଜରେ ଖାଇବା ଗୁଡ଼ାଇ ଦେଇଦିଅନ୍ତି । ଆଉ ଲୋକ ଏହି ଖାଦ୍ୟକୁ ବଡ଼ ଆନନ୍ଦର ସହ ଖାଆନ୍ତି । ଚଣାମସଲା , ଚିନାବାଦାମ ,ତେଲଭାଜି ଏବଂ ଅନ୍ୟାନ୍ୟ ଖାଇବା ଏଥିରେ ସାମିଲ୍ । ଭୋକ ମେଣ୍ଟିବା ସଙ୍ଗେ ସଙ୍ଗେ ଚଟାପଟ୍ ଖାଇବାର ମଜା ଲୋକଙ୍କୁ ଆଉ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଦିଏନାହିଁ । କିନ୍ତୁ ଏହି ଅବହେଳା ଆପଣଙ୍କୁ କେତେ ବଡ଼ ବିପଦ ଆଡକୁ ଭିଡ଼ିନେବ ଜାଣିଛନ୍ତି କି ? ଖବରକାଗଜରେ ଏଭଳି ଅନେକ ହାନିକାରକ ରସାୟନ ଏବଂ ସ୍ୟାହି ରହିଥାଏ ଯାହା ଆପଣଙ୍କ ଶରୀରକୁ ବିପଦ ଆଡ଼କୁ ଠେଲିଦିଏ । ଯଦି ଆପଣ ପେପର୍ ଉପରେ ଖାଦ୍ୟ ରଖି ଖାଉଛନ୍ତି ତେବେ ଜାଣିରଖନ୍ତୁ ଏହାଦ୍ବାରା କେଉଁ କେଉଁ ରୋଗକୁ ଆପଣ ନିମନ୍ତ୍ରଣ ଦେଉଛନ୍ତି ।
ଖବରକାଗଜର ସ୍ୟାହିରେ ଅନେକ ହାନିକାରକ ରସାୟନ ଯେଭଳି ଆଇସୋବ୍ଲୁଟାଇଲ୍ ପେଟେଲେଟ୍ ଏବଂ ଡାଇଏନ୍ ଆଇସୋବ୍ଲୁଟାଇଲ୍ । ଯେତେବେଳେ ଆମେ ଗରମାଗରମ ଖାଇବା ପେପର୍ ଉପରେ ରଖୁ ଖାଇବା କାଗଜ ସହ ଚିପକିଯାଏ । ଯାହା ଆମ ଶରୀରକୁ କ୍ଷତି ପହଁଞ୍ଚାଇବାର ବାଟ ଖୋଲିଦିଏ । ଏହି କ୍ୟାମିକାଲ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଟାଣିଆଣେ । ସେଥିପାଇଁ ଗରମ ଖାଦ୍ୟ ଖବରକାଗଜରେ ରଖି ଖାଇବାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ । ନଚେତ୍ କ୍ୟାନ୍ସର ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ।
ନ୍ୟୁଜପେପରରେ ଖାଦ୍ୟ ଗୁଡ଼ାଇ ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । କାଗଜର ସ୍ୟାହିରେ ଥିବା ରସାୟନ ପେଟକୁ ଯାଇ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରେ । ଯେଉଁଥିରେ ପେଟରେ ଜ୍ବଳନ , ଏସିଡିଟି , କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ । ତେଣୁ ପେଟଜନିତ ସମସ୍ୟାରୁ ଯଦି ଦୂରେଇ ରହିବାକୁ ଚାହାନ୍ତି ତାହେଲେ ଖବରକାଗଜରେ ଖାଦ୍ୟ ଢାଳି ଖାଇବାକୁ କରନ୍ତୁ ନା ।
ସ୍ୟାହିରେ ଆଇସୋପ୍ରୋଫାଇଲ୍ ଅଲକୋହଲ୍ , ପଲିଏଥିଲିନ୍ ଗ୍ଲାଇକଲ୍ , ଡାଇଏଥିଲିନ୍ ଗ୍ଲାଇକଲ୍ , ଡାଇଏଥିଲିନ୍ ଗ୍ଲାଇକଲ୍ ଭଳି କ୍ୟାମିକାଲର ବ୍ୟବହାର କରାଯାଏ । ଏହି ବିଷାକ୍ତ ପଦାର୍ଥ ଖାଦ୍ୟରେ ମିଶି ଶରୀର ଭିତରକୁ ଯାଏ ଏବଂ ହର୍ମୋନକୁ କ୍ଷତି ପହଁଞ୍ଚାଇଥାଏ । ଏହାଦ୍ବାରା ଶରୀରର ବିଭିନ୍ନ ହର୍ମୋନ୍ ଥାଇରଏଡ୍ , ଇନ୍ସୁଲିନ୍ , ଏଷ୍ଟ୍ରୋଜନ୍ ଆଦି ବିଗିଡ଼ିବାର ସମ୍ଭାବନା ଥାଏ ।
ଯଦି କୌଣସି ବ୍ୟକ୍ତି ପ୍ରତିଦିନ ଖବରକାଗଜରେ ଗୁଡ଼ାହୋଇଥିବା ଖାଦ୍ୟ ଖାଆନ୍ତି ତେବେ ଖୁବ୍ କମ୍ ଦିନ ଭିତରେ ଦୃଷ୍ଟିଶକ୍ତି ହରାଇବାର ସମସ୍ୟାର ମଧ୍ୟ ସମ୍ମୁଖିନ ହୋଇପାରନ୍ତି । ଖାସ୍ କରି ବୃଦ୍ଧବ୍ୟକ୍ତି ଏବଂ ଶିଶୁଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଦେଖାଯାଏ ।