କନକ ବ୍ୟୁରୋ : ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ । ବ୍ୟାପକ ଗଛକଟା ସାଙ୍ଗକୁ ଶିକାରୀଙ୍କ ପାଦ୍ରୁଭାବ ପାଇଁ ଅସୁରକ୍ଷିତ ପାଲଟିଯାଇଛି ଜଙ୍ଗଲ । ତେଣୁ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଅନେକ ସମୟରେ ମଣିଷ ସହ ମୁହାଁମୁହିଁ ହେଉଛନ୍ତି । ଶିକାରୀ ଗୁଳିରେ ବାଘ ଓ ହାତୀଙ୍କ ଜୀବନ ଯାଉଛି । ସେମାନଙ୍କ ସୁରକ୍ଷା ପାଇଁ ସଂଗ୍ରାମ କରୁଛନ୍ତି ସମାଜସେବୀ ଦିଲ୍ଲୀପ ସାହୁ ।
ଜଙ୍ଗଲ ବିଭାଗକୁ ଜୀବନ ବିଭାଗରେ ପରିବର୍ତ୍ତନ କରିବା ଦାବିରେ ପ୍ରୟାସ ଜାରି ରଖିଛନ୍ତି ପାଲଲହଡ଼ା ବ୍ଲକ ଉଦୟପୁର ଅଞ୍ଚଳର ଦିଲ୍ଲୀପ । ହାତୀ ସୁସଜ୍ଜିତ ଗାଡ଼ିରେ ବନ୍ୟପ୍ରାଣୀ ସୁରକ୍ଷ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ରୋକିବା ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ପାଲଲହଡ଼ା ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀପ ।
ଗତ ୧୦ ବର୍ଷରେ ରାଜ୍ୟରେ ୭୯୦ ହାତୀଙ୍କ ମୃତ୍ୟୁ ହୋଇଛି । ରେଳ ଧାରଣାରେ କଟି, ବିଦ୍ୟୁତ୍ ତାର ଲାଗି ଓ ଶିକାରୀ ଗୁଳିରେ ଅଧିକାଂଶ ହାତୀଙ୍କ ଜୀବନ ଯାଇଛି । ୨୦୧୯ରୁ ୨୪ ମଧ୍ୟରେ ଦେଶରେ ହାତୀ ଆକ୍ରମଣରେ ୨୮୨୯ ଜଣଙ୍କ ମୃତ୍ୟୁ ହୋଇଛି । ହାତୀ-ମଣିଷ ଲଢ଼େଇରେ ଓଡ଼ିଶାରେ ସର୍ବାଧିକ ୬୨୪ ଜଣଙ୍କ ଜୀବନ ଯାଇଛି । ସେହିଭଳି ଗତ ୫ ବର୍ଷରେ ଓଡ଼ିଶାରେ ୩ଟି ମହାବଳ ବାଘ ଓ ୩୪ଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି । ତେଣୁ ଜଙ୍ଗଲ ବିଭାଗ ସତର୍କ ରହି ବନ୍ୟଜନ୍ତୁଙ୍କୁ ଜୀବନ ବିଭାଗ ହେଉ ବୋଲି ଦାବି କରିଛନ୍ତି ପରିବେଶବିତ୍ ଦିଲ୍ଲୀପ ସାହୁ ।