କନକ ବ୍ୟୁରୋ : କ୍ଷମା ମାଗିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ବୈଠକ ପଞ୍ଚାୟତ ସମିତିର ସଭାଗୃହରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ସୂଚନା ଅନୁସାରେ, ପଞ୍ଚାୟତ ସମିତିର ସାଧାରଣ ବୈଠକରେ ବିଧାୟକଙ୍କୁ ଅତିଥି ଭାବେ ଯୋଗଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲା । ତେବେ ସାଂସଦଙ୍କୁ ଚିଠି କରାଯାଇନଥିବାରୁ ଦେଖାଦେଇଥିଲା ଅସନ୍ତୋଷ । ବୈଠକ ଆରମ୍ଭ ହେବା କ୍ଷଣି ବିଜେପି ସମର୍ଥିତ ସରପଞ୍ଚ , ସମିତି ସଭ୍ୟ ଓ ସଭ୍ୟାମାନେ ଗୃହରେ ହଟ୍ଟଗୋଳ କରିବା ସହ ବିଭିନ୍ନ ନାରାବାଜି କରିଥିଲେ । ବିଡିଓଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ବଙ୍ଗାଳପୁର ସରପଞ୍ଚ ଅମିୟ କୁମାର ଜେନା ଓ ତେଣ୍ଡାକୁଡା ସରପଞ୍ଚ ମାନସ କୁମାର ରାଉତ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏପରିକି ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସଭାଗୃହ ମଧ୍ୟରେ ଧାରଣାରେ ଵସି ରହିଥିଲେ । ଗୃହର ଏପରି ଅଚଳାବସ୍ଥା ଦେଖି ବିଡିଓ ଆଲୋକ କୁମାର ସେଠୀ ଡାଏସ୍‌ରୁ ତଳକୁ ଆସି ଭୁଲ ହୋଇଥିବା କଥା ସ୍ବୀକାର କରିଥିଲେ । ଏହାସହ ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ ବୋଲି କହିଥିଲେ । ଯାହା ପରେ ଧାରଣାରତ ସରପଞ୍ଚମାନେ ନିଜ ନିଜର ଆସନକୁ ଯାଇଥିଲେ। ପରେ ବୈଠକ ଆରମ୍ଭ ହୋଇଥିଲା ।  

Advertisment