କନକ ବ୍ୟୁରୋ: ୨୦୨୭ରେ ଖେଳାଯିବ ଦିନିକିଆ ବିଶ୍ୱକପ୍ । ସେତେବେଳକୁ କ୍ୟାପ୍ଟେନ୍ ରୋହିତ ଶର୍ମାଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇଯାଇଥିବ । ଏହାରି ଭିତରେ ନିକଟରେ ବିସିସିଆଇ ବ୍ରୋଙ୍କୋ ଟେଷ୍ଟ ଆରମ୍ଭ କରିଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର । ପୂର୍ବତନ କ୍ରିକେଟରଙ୍କ ମତରେ କେବଳ ରୋହିତ ଶର୍ମାଙ୍କୁ ଅବସର ନେବାକୁ ବାଧ୍ୟ କରିବାକୁ ଏହି ପଦକ୍ଷେପ ନେଇଛି ବିସିସିଆଇ । ଇଂଲଣ୍ଡରେ ଟେଷ୍ଟ ସିରିଜ୍ ସମୟରେ ଅନେକ ଖେଳାଳି ଫିଟ୍ନେସ୍ ସମସ୍ୟାରେ ଯୁଝି ହୋଇଥିଲେ । ଖାସ୍ କରି ଫାଷ୍ଟ ବୋଲରଙ୍କ ଫିଟ୍ନେସ ସମସ୍ୟା ପରେ ବ୍ରୋଙ୍କ ଟେଷ୍ଟ ଆରମ୍ଭ କରାଯାଇଥିଲା । ଏହା ଜଣେ ଖେଳାଳିଙ୍କ ଫିଟ୍ନେସ୍ ଆସେସ୍ମେଣ୍ଟ ଟେଷ୍ଟ ।
ବର୍ତ୍ତମାନ ଏହି ବ୍ରୋଙ୍କୋ ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ମନୋଜ ତିୱାରୀ । ସେ କହିଛନ୍ତି, "ମୁଁ ଭାବୁଛି ବିରାଟ କୋହଲିଙ୍କୁ ୨୦୨୭ ବିଶ୍ୱକପରୁ ବାହାର କରିବା କଷ୍ଟକର ହେବ, କିନ୍ତୁ ମୋର ସନ୍ଦେହ ହେଉଛି ଯେ ରୋହିତ ଶର୍ମାଙ୍କୁ ବିଶ୍ୱକପରୁ ବାଦ ଦେବାକୁ ଯୋଜନା କରାଯାଉଛି । ମୁଁ ଭାରତୀୟ କ୍ରିକେଟରେ ସମସ୍ତ ଗତିବିଧିକୁ ଅତି ନିକଟରୁ ବିଶ୍ଳେଷଣ କରେ, କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଥିବା ବ୍ରୋଙ୍କୋ ଟେଷ୍ଟ ରୋହିତ ଶର୍ମାଙ୍କ ଭଳି ଖେଳାଳି ପାଇଁ ହିଁ ଉଦ୍ଦିଷ୍ଟ । ଯେଉଁମାନେ ଭବିଷ୍ୟତରେ ଟିମ୍ର ଅଂଶ ହେବାକୁ ଚାହୁନାହାଁନ୍ତି ସେହିମାନଙ୍କ ପାଇଁ ବ୍ରୋଙ୍କୋ ଟେଷ୍ଟ ଉଦ୍ଦିଷ୍ଟ ।"
ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍ ହେବା ପରେ ଏବେ କାହିଁକି ବ୍ରୋଙ୍କୋ ଟେଷ୍ଟ ଆରମ୍ଭ ହୋଇଛି ? ନିଶ୍ଚିତ ଭାବରେ, ଏହାର ସିଧାସଳଖ ଉତ୍ତର ହେଉଛି ଯେ ଟିମ୍ ଇଣ୍ଡିଆର ନୂତନ ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଂ କୋଚ୍ ଏଡ୍ରିଆନ୍ ଲେ ରକ୍ସ ଜୁନ୍ ମାସରେ ଦଳରେ ଯୋଗ ଦେଇଥିଲେ ଏବଂ ସେ ଦଳରେ ଆସିବା ପରେ ଏହାକୁ ଆରମ୍ଭ କରିଛନ୍ତି । ୨୦୧୧ରେ ମଧ୍ୟ ସିନିୟର ଖେଳାଳିଙ୍କୁ ବାଦ୍ ଦେବାକୁ ୟୋୟୋ ଟେଷ୍ଟ ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି ମନୋଜ ତିୱାରୀ । ଏହି ପୂର୍ବତନ କ୍ରିକେଟରଙ୍କ ସଙ୍ଗୀନ ଅଭିଯୋଗ ବା ପୂର୍ବାନୁମାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । ମୋଟାମୋଟି ଭାବରେ କହିବାକୁ ବ୍ରୋଙ୍କୋ ଟେଷ୍ଟର ପ୍ରଭାବ ସିଧାସଳଖ ବରିଷ୍ଠ ଖେଳାଳିଙ୍କ ଉପରେ ପଡ଼ିବ ବୋଲି କହିଛନ୍ତି ମନୋଜ ତିୱାରୀ । ଏହି ପୂର୍ବତନ କ୍ରିକେଟରଙ୍କ ଉପରେ କି ପ୍ରତିକ୍ରିୟା ଦେଉଛି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳିମାନଙ୍କ ଉପରେ ଏହାର କି ପ୍ରଭାବ ପଡୁଛି ତାହା ଦେଖିବା ରୋଚକ ହେବ ।
ସେପଟେ ରୋହିତ ଶର୍ମାଙ୍କ କଥା କହିଲେ ସେ ଗତ ବର୍ଷ ଭାରତକୁ ଟି-ଟ୍ୱେଣ୍ଟି ଚାମ୍ପିୟନ କରାଇଥିଲେ । ଏହାପରେ ସେ କ୍ରିକେଟର ଛୋଟ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ନିରାଶାଜନକ ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଉଭୟ ବିରାଟ କୋହଲି ଓ ରୋହିତ ଶର୍ମାକୁ ଅଲବିଦା କହିଥିଲେ । ଏବେ ଏହି ଦୁଇ କିମ୍ବଦନ୍ତୀ ଖେଳାଳି ଦିନିକିଆ ଖେଳୁଥିବା ନଜର ଆସିବେ । କିନ୍ତୁ ବ୍ରୋଙ୍କୋ ଟେଷ୍ଟରେ ରୋହିତ ଶର୍ମା କିଭଳି ପାସ୍ ହେବେ ତାହାରି ଉପରେ ରହିବ ନଜର ।