କନକ ବ୍ୟୁରୋ: ବିସିସିଆଇକୁ ମଙ୍ଗଳବାର ବମ୍ବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି । ପୂର୍ବତନ ଆଇପିଏଲ୍ ଦଳ କୋଚି ଟସ୍କର୍ସକୁ ୫୩୮ କୋଟି କ୍ଷତିପୂରଣ ଦେବ । ପୂର୍ବତନ ଆଇପିଏଲ୍ ଦଳ କୋଚି ଟସ୍କର୍ସକୁ ୫୫୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ପୂର୍ବରୁ ତଳକୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ରହିଥିଲା ବମ୍ବେ ହାଇକୋର୍ଟ ସେହି ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି । କୋଚି ଟସ୍କର୍ସ କେରଳ ଦଳ ଆଇପିଏଲ୍ରେ ମାତ୍ର ଗୋଟିଏ ସିଜିନ ଖେଳିଥିଲା । ଏହାପରେ ଗ୍ୟାରେଣ୍ଟି ମନି ଦେଇନଥିବା ଅଭିଯୋଗରେ ବିସିସିଆଇ ଏହି ଫ୍ରାଞ୍ଚାଇଜ ସହ କରିଥିବା କରିଥିବା ଚୁକ୍ତିକୁ ବାତିଲ କରିଦେଇଥିଲା ।
ଏହାକୁ ନେଇ ବିସିସିଆଇ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲା କୋଚି ଟସ୍କର୍ସ ଫ୍ରାଞ୍ଚାଇଜ । କୋର୍ଟ ବିସିସିଆଇ ଓ ଫ୍ରାଞ୍ଚାଇଜ ମଧ୍ୟରେ ମଧ୍ୟସ୍ତି କରି କୋଚି ଟସ୍କର୍ସକୁ ୫୫୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବିସିସିଆଇ । ବମ୍ବେ ହାଇକୋର୍ଟ ଏବେ ଉଭୟ ପକ୍ଷ ଶୁଣିବା ସହ ତଳ କୋର୍ଟର ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି । ତେବେ କ୍ଷତିପୂରଣ ରାଶିକୁ ୫୫୦ରୁ ୫୩୮ କୋଟି ଟଙ୍କା କରିଦେଇଛନ୍ତି ବମ୍ବେ ହାଇକୋର୍ଟ ।
ତେବେ ଏହି ରାୟ ବିରୋଧରେ ଅପିଲ୍ କରିବାକୁ ବିସିସିଆଇକୁ ୬ ସପ୍ତାହର ସମୟ ଦେଇଛନ୍ତି କୋର୍ଟ । ଏହାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଗତ ୨୦୧୧ ଆଇପିଏଲ୍ ସିଜିନ୍ରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ସାମିଲ ହୋଇଥିଲା । ପୁନେ ୱାରିଅର୍ସ ଇଣ୍ଡିଆ ଓ କୋଚି ଟସ୍କର୍ସ । ପୁନେ ୱାରିଅର୍ସ ଇଣ୍ଡିଆ ଓ କୋଚି ଟସ୍କର୍ସ ସହ ମୋଟ ୧୦ଟି ଦଳ ଏହି ସିଜିନ୍ରେ ଖେଳିଥିଲା । କୋଚି ଟସ୍କର୍ସର ଅଧିନାୟକ ଥିଲେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ । ତେବେ ଏହି ଗୋଟିଏ ସିଜିନ୍ ପରେ କୋଚି ଟସ୍କର୍ସକୁ ଆଉ କୌଣସି ସିଜିନ୍ରେ ଦେଖିବାକୁ ମିଳିନଥିଲା । ଗ୍ୟାରେଣ୍ଟି ମନି ଦେଇନଥିବା ଅଭିଯୋଗ ଆଣି କୋଚି ଟସ୍କର୍ସର ଚୁକ୍ତି ବାତିଲ କରିଥିଲା ବିସିସିଆଇ । ଏହାପରେ ନ୍ୟାୟପାଳିକାଙ୍କ ଦ୍ୱାରସ୍ଥ ହୋଇଥିଲା କୋଚି ଟସ୍କର୍ସ ।