କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହେବା ପରେ ଏବେ ଆଇପିଏଲକୁ ନେଇ ବାଟ ଖୋଲିଛି । ଦୁଇ ଦେଶ ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ ଅସ୍ତ୍ରବିରତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ ପରେ ଏହା ଜଣାପଡିଥିଲା । ବର୍ତ୍ତମାନ ଆଇପିଏଲ ପୁଣି ଆରମ୍ଭ କରିବା ନେଇ ବିସିସିଆଇ ଖୁବଶୀଘ୍ର ତାରିଖ ଘୋଷଣା କରିପାରେ ।
ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ଶୁକ୍ରବାର ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା । ହେଲେ ଟୁର୍ଣ୍ଣାମେଣ୍ଟ କେବେ ଆରମ୍ଭ ହେବ ତାହା କୁହାଯାଇନଥିଲା । ହେଲେ ଏବେ ଯୁଦ୍ଧ ଶେଷ ହେବା ପରେ ଲାଗୁଛି ବିସିସିଆଇ ଆଇପିଏଲକୁ ପୁଣି ଆରମ୍ଭ କରିପାରେ । ଆଇପିଏଲ ୨୦୨୫ରେ ମୋଟ ୫୭ ମ୍ୟାଚ ଖେଳ ସରିଛି । ୫୮ତମ ମ୍ୟାଚ ମେ ୮ରେ ଧର୍ମଶାଳାରେ ରଦ୍ଦ ହୋଇଥିଲା । ଏବେ ଯାଏଁ ନିଷ୍ପତ୍ତି ହୋଇନି କି ଏହି ମ୍ୟାଚ ପୁଣି ଖେଳ ହେବ କି ନାହିଁ ।
ପୂର୍ବରୁ ବି ଆଇପିଏଲ ଉପରେ ଏମିତି ଅନେକଥର ସଙ୍କଟ ଆସିଛି । ୨୦୦୯ରେ ଲୋକସଭା ନିର୍ବାଚନ ପାଇଁ ଆଇପିଏଲକୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରାଯାଇଥିଲା । ସେହିପରି ୨୦୨୦ରେ କରୋନା ପାଇଁ ମେ'ରୁ ଆଇପିଏଲ ବନ୍ଦ ହୋଇଥିଲା ଆଉ ସେପ୍ଟମ୍ୱରରେ ପୁଣି ଆରମ୍ଭ ହୋଇଥିଲା । ୨୦୨୧ରେ ବାୟୋବବଲରେ ଆଇପିଏଲ ଖେଳ ହୋଇଥିଲା । ସେହିପରି ୨୦୨୪ରେ ଆଇପିଏଲ ସିଡ୍ୟୁଲ ଅଧା ଅଧା ହୋଇଆସିଥିଲା ।