କନକ ବ୍ୟୁରୋ  : ବର୍ଡର ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ କଠୋର ହେଲା ବିସିସିଆଇ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଖେଳାଳୀଙ୍କ ପରିବାର ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ କିମ୍ୱା ତାଠାରୁ ଅଧିକ ଦିନ ଧରି ଥାଏ, ତେବେ ୨ ସପ୍ତାହ ବା ୧୪ଦିନ ପର୍ଯ୍ୟନ୍ତ ଖେଳାଳୀଙ୍କ ସହ ରହିପାରିବେ ପରିବାର ଲୋକ । ଅଧିକ ଦିନ ରହିବାକୁ ମିଳିବନି ଅନୁମତି । ସେହିପରି ଯଦି ଟୁର୍ଣ୍ଣାମେଣ୍ଟ ୪୫ ଦିନରୁ କମ ଥାଏ, ତେବେ ଖେଳାଳୀଙ୍କ ସହ ପରିବାରଲୋକ ମାତ୍ର ୭ଦିନ ପର୍ଯ୍ୟନ୍ତରହିପାରିବେ । ପୂରା ଟୁର୍ଣ୍ଣାମେଣ୍ଟ ସରିବା ପର୍ଯ୍ୟନ୍ତ ପତ୍ନୀମାନେ ଖେଳାଳୀଙ୍କ ସହ ରହିପାରିବେନାହିଁ । ଏହା ସହ ଖେଳାଳୀଙ୍କ ପାଇଁ ଆଉ କିଛି କଠୋର ନିଷ୍ପତି ନେଇଛି ବିସିସିଆଇ । ସମସ୍ତ ଖେଳାଳୀ ଟିମ୍ ବସରେ ଯାତ୍ରା କରିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କୋଚ ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ଭିଆଇପି ବକ୍ସ, ଖେଳାଳୀ ରହୁଥିବା ହୋଟେଲ ଏବଂ ଟିମ ବସରେ ଯିବାକୁ ମଧ୍ୟ ଅନୁମତି ମିଳିବନି । ଯଦି ଖେଳାଳୀଙ୍କ ଲଗେଜ୍ ୧୫୦ କିଲୋରୁ ଅଧିକ ଥାଏ, ତେବେ ଲଗେଜ୍ ସମ୍ପର୍କରେ ଖେଳାଳୀଙ୍କୁ ଦିଆଯାଉଥିବା ଅତିରିକ୍ତ ଶୁଳ୍କ ମଧ୍ୟ ଭରଣା କରିବ ନାହିଁ ବିସିସିଆଇ । ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ଆସନ୍ତା ଜାନୁଆରୀ ୨୨ ତାରିଖରୁ ଖେଳିବ ଟି-୨୦ ସିରିଜ । ଏହାପରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳାଯିବ । ସେହିପରି ଫେବ୍ରୁଆରୀ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେଉଥିବା ବେଳେ, ଏହାପୂର୍ବରୁ କଠୋର ହୋଇଛି ବିସିସିଆଇ ।