କନକ ବ୍ୟୁରୋ: ବିସିସିଆଇ ଘରୋଇ କ୍ରିକେଟ୍‌ରେ ଖୁବ୍ ଶୀଘ୍ର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି । କନ୍‌କୁସନ ବଦଳ ଭଳି ଆହତ ବଦଳକୁ ବିସିସିଆଇ ସ୍ବୀକୃତି ଦେଇଛି । ଏଣିକି ମ୍ୟାଚ୍ ସମୟରେ କୌଣସି ଖେଳାଳି ଗୁରୁତର ଆହତ ହେଲେ ଉକ୍ତ ଦଳ ମ୍ୟାଚ ମଧ୍ଯରେ ଆହତଙ୍କ ବଦଳ ଭାବେ ଆଉ ଜଣେ ଖେଳାଳିଙ୍କୁ ମ୍ୟାଚ୍ ବାକି ଭାଗ ଖେଳାଇ ପାରିବ । ଏହା କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବଳବତ୍ତର ରହିବ । ସୀମିତ ଓଭର (ଦିନିକିଆ ଓ ଟି-ଟ୍ରେଷ୍ଟି) କ୍ରିକେଟ୍‌ରେ ଏହି ନିୟମ ଲାଗୁ କରାଯିବ ନାହିଁ । ଆଗାମୀ ଦୁଲୀପ୍ ଟ୍ରଫିରୁ ନୂଆ ନିୟମ କାର୍ଯ୍ୟକାରୀ ହେବ । ଆସନ୍ତା ୨୮ ତାରିଖରୁ ଦୁଲୀପ୍ ଟ୍ରଫି ଆରମ୍ଭ ହେବ ।

Advertisment

ଗତ ଇଂଲଣ୍ଡ ଗସ୍ତ ସମୟରେ ରିଷଭ ପନ୍ତ ଗୁରୁତର ଆହତ ହେବା ପରେ ବିସିସିଆଇ ଏଭଳି ନୂଆ ନିୟମକୁ ଘରୋଇ କ୍ରିକେଟ୍‌ରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ମ୍ୟାଚ୍ ସମୟରେ କୌଣସି ଖେଳାଳି ଆହତ ହେଲେ ଉକ୍ତ ଦଳ ତାଙ୍କ ବଦଳ ଖେଳାଳି ସାମିଲ କରିପାରିବ । ମାତ୍ର ଏଥିପାଇଁ ମ୍ୟାଚ୍ ରେଫରିଙ୍କ ଅନୁମତି ନେବାକୁ ପଡ଼ିବ । ଆହତ ଖେଳାଳିଙ୍କ ସମସ୍ୟା ଉପରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ମ୍ୟାଚ୍ ରେଫରି ଅନୁମତି ଦେବେ । ଉଦାହରଣ ସ୍ୱରୂପ କୌଣସି ଖେଳାଳି ଆହତ ହେଲେ ତାଙ୍କ ଦଳ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ବାଧ୍ୟ । ଉକ୍ତ ଖେଳାଳିଙ୍କ ଆଘାତ କେତେ ଗୁରୁତର ରହିଛି, ତାହା ଉପରେ ଡାକ୍ତର ରିପୋର୍ଟ ପ୍ରଦାନ କରିବେ । ମ୍ୟାଚ୍ ରେଫରି ଉକ୍ତ ରିପୋର୍ଟ ଦେଖିବା ପରେ ଆହତ ଖେଳାଳିଙ୍କ ବଦଳ ଆବଶ୍ୟକ କି ନାହିଁ, ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

ଆହତ ଖେଳାଳିଙ୍କ ସମକକ୍ଷ ଖେଳାଳି ହିଁ ବଦଳ ଭାବେ ସାମିଲ ହେବେ । ଉଦାହରଣ ସ୍ଵରୂପ, କୌଣସି ଆହତ ଖେଳାଳି ବ୍ୟାଟର ହୋଇଥିଲେ, ତାଙ୍କ ସ୍ଥାନରେ ଉକ୍ତ ଦଳ ଅତିରିକ୍ତ ଖେଳାଳିଙ୍କ ମଧ୍ୟରୁ ଜଣେ ବ୍ୟାଟରଙ୍କୁ ଦଳରେ ସାମିଲ କରିପାରିବ। ବୋଲରଙ୍କ ସ୍ଥାନରେ କେବଳ ବୋଲର ଓ ୱିକେଟ୍ କିପରଙ୍କ ସ୍ଥାନରେ ୱିକେଟ୍ କିପର ହିଁ ବଦଳ ହୋଇ ପାରିବେ ।

ଖେଳାଳିଙ୍କ ବାହ୍ୟ ଆଘାତକୁ ଭିତ୍ତି କରି ଖେଳାଳି ବଦଳ କରାଯିବ। ଅର୍ଥାତ ବ୍ୟାଟିଂ, ଫିଲ୍ଡିଂ କିମ୍ବା ବୋଲିଂ କରୁଥ‌ିବା ସମୟରେ କେହି ଗୁରୁତର ଆଘାତ ପାଇଲେ ସେହି ସ୍ଥାନରେ ବଦଳ ଖେଳାଳି ବ୍ୟବହୃତ ହୋଇ ପାରିବେ। କିନ୍ତୁ ମାଂସପେଶୀରେ ଯନ୍ତ୍ରଣା ଭଳି ଆହତ ସମସ୍ୟା ଥିଲେ ଏହି ସ୍ଥାନରେ ଖେଳାଳି ବଦଳ ହୋଇପାରିବେ ନାହିଁ ।

ମ୍ୟାଚ୍ ପୂର୍ବରୁ ଟସ ସମୟରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶ ତାଲିକା ସହ ଆହତ ବଦଳ ଭବେ କିଛି ଖେଳାଳିଙ୍କ ତାଲିକା ପ୍ରଦାନ କରିବେ । ଉକ୍ତ ତାଲିକାରେ ବ୍ୟାଟର, ବୋଲର ଓ ୱିକେଟ୍ କିପର ରହିବେ ।

ଗତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ ସମୟରେ ଗୁରୁତର ଆହତ ହେଉଥ‌ିବା ଖେଳାଳିଙ୍କ ବଦଳ ସାମିଲକୁ ନେଇ ଜୋରଦାର ଆଲୋଚନା ହୋଇଥିଲା। ଚତୁର୍ଥ ଟେଷ୍ଟରେ ରିଷଭ ପନ୍ତ ଓ ପଞ୍ଚମ ଟେଷ୍ଟରେ କ୍ରିସ୍ ଓକ୍ଟ ଗୁରୁତର ଆହତ ହୋଇଥିଲେ। ମାତ୍ର ଉଭୟ ଯନ୍ତ୍ରଣା ସତ୍ତ୍ବେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଏହି ଘଟଣା ପରେ ବିସିସିଆଇ ଆହତ ବଦଳ ନିୟମ ଲାଗୁ କରିଛି। ବର୍ତ୍ତମାନସୁଦ୍ଧା କ୍ରିକେଟ୍‌ରେ କେବଳ କକୁସନ ବଦଳ ଓ କୋଭିଡ ବଦଳ ନିୟମ ଲାଗୁ ହୋଇଛି।