କନକ ବ୍ୟୁରୋ: ଋତୁରାଜ ଗାଏକ୍ୱାଡ... ଏହି ନାଁ ସମସ୍ତଙ୍କ ପାଇଁ ବେଶ ପରିଚିତ । କାରଣ ଆଇପିଏଲରେ ଋତୁରାଜଙ୍କ ପ୍ରଦର୍ଶନ ତାଙ୍କୁ ସଫଳତା ଦେଇଛି । ହେଲେ ଏହି ଖେଳାଳି ଏବେ ଅନ୍ତର୍ଜାତୀୟ ମ୍ୟାଚରୁ ଦୂରେଇ ଯାଇଛନ୍ତି । ଦକ୍ଷତା ଥାଇ ବି ତାଙ୍କୁ କାହିଁକି ଟିମ୍ ଇଣ୍ଡିଆରେ ସ୍ଥାନ ମିଳୁନି ତାକୁ ନେଇ ଏବେ ପ୍ରଶ୍ନ । ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଥିଲେ ଏହି ଷ୍ଟାର ବ୍ୟାଟର୍, ଆଉ ତାପରେ ଟିମ୍ ଇଣ୍ଡିଆରେ ମିଳିଲା ସୁଯୋଗ । ହେଲେ ଏବେ ଯେମିତି ସେ ହଜିଯାଇଛନ୍ତି । ନା ଟେଷ୍ଟ, ନା ଟି-୨୦ ନା ଦିନିକିଆ କେଉଁଥିରେ ତାଙ୍କୁ ସୁଯୋଗ ମିଳୁନି । ଲାଗୁଛି ଯେମିତି ଋତୁରାଜଙ୍କୁ ବିସିସିଆଇ ପୂରା ଭୁଲିଯାଇଛି ।
ଋତୁରାଜ ଗାଏକ୍ୱାଡ ଅକ୍ଟୋବର ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଦିନିକିଆ ଡେବ୍ୟୁ କରିଥିଲେ । ସେ ପ୍ରାୟ ଗୋଟିଏ ବର୍ଷ ପରେ, ଡିସେମ୍ବର ୨୦୨୩ରେ ତାଙ୍କର ଶେଷ ଦିନିକିଆ ଖେଳିଥିଲେ । ସେ ପ୍ରାୟ ଦୁଇ ବର୍ଷ ଧରି ଏବେ ଭାରତୀୟ ଦିନିକିଆ ଦଳରୁ ବାହାରେ ଅଛନ୍ତି । ଗାଏକ୍ୱାଡ ଏପର୍ୟ୍ୟନ୍ତ ଛଅଟି ଦିନିକିଆରେ ୧୧୫ ରନ କରିଛନ୍ତି । ତାଙ୍କ ନାଁରେ କୌଣସି ଶତକ ନାହିଁ, କିନ୍ତୁ ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ଛୋଟ ଦିନିକିଆ କ୍ୟାରିୟରରେ, ଗାଏକ୍ୱାଡ ୧୯.୧୬ ହାରରେ ଏବଂ ୭୩.୨୪ ଷ୍ଟ୍ରାଇକ୍ ରେଟରେ ସ୍କୋର କରିଛନ୍ତି।
ଅନ୍ତର୍ଜାତୀୟ ଟି-୨୦ ବିଷୟରେ କହିବାକୁ ଗଲେ, ଗାଏକ୍ୱାଡ ୨୦୨୧ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଏହି ଫର୍ମାଟରେ ଡେବ୍ୟୁ କରିଥିଲେ ଏବଂ ୨୦୨୪ ଜୁଲାଇରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ । ଏହାର ଅର୍ଥ ହେଉଛି ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଏହି ଫର୍ମାଟରୁ ବାହାରେ ଅଛନ୍ତି । ସେ ୨୩ ଟି-୨୦ ମ୍ୟାଚରେ ୬୩୩ ରନ କରିଛନ୍ତି, ଯେଉଁଥିରେ ଗୋଟିଏ ଶତକ ଏବଂ ଚାରୋଟି ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କର ହାରାହାରି ୩୯.୫୬ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୪୩.୫୩ । ତଥାପି, ସେ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅନକ୍ୟାପ୍ ହୋଇଛନ୍ତି ।
ଋତୁରାଜ ୨୦୨୦ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ । ହେଲେ ସେହି ବର୍ଷ ତାଙ୍କୁ ଏତେ ସୁଯୋଗ ମିଳିନଥିଲା । ୨୦୨୧ରେ ସେ ଦମଦାର ପ୍ରଦର୍ଶନ କରି ଆଇପିଏଲର ସର୍ବାଧିକ ସ୍କୋରର ହୋଇଥିଲେ । ଏହାପରେ ଲଗାତାର ୨୦୨୨, ୨୦୨୩, ୨୦୨୪ରେ ଭଲ ପ୍ରଦର୍ଶନ କରିଥିଲେ ।
୨୦୨୫ରେ ସେ ଚେନ୍ନାଇର ଅଧିନାୟକ ଦାୟିତ୍ୱ ନେଇଥିଲେ । ଆଉ ଅଳ୍ପ କିଛି ମ୍ୟାଚ ଖେଳି ଆହତ ସମସ୍ୟା ଯୋଗୁଁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ହେଲେ ଏବେ ଆହତ ସମସ୍ୟାରୁ ସେ ପୂରା ଫିଟ୍ ହୋଇସାରିଛନ୍ତି । ଆଉ ଗତ ମାସରେ ଖେଳାଯାଉଥିବା ଦୁଲିପ ଟ୍ରଫିରେ ଶତକୀୟ ପାଳି ଖେଳିଛନ୍ତି । କହିବାକୁ ଗଲେ ଋତୁରାଜ ଏବେ ବି ପୂରା ଫର୍ମରେ ଅଛନ୍ତି । ହେଲେ ଜାତୀୟ ଦଳରେ ଚୟନ ନହେବା ଏକ ଚିନ୍ତାର ବିଷୟ । ବର୍ତ୍ତମାନ ଗାଏକ୍ୱାଡ ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରିବେ କି ନାହିଁ ତାହା ଦେଖିବା ବାକି ରହିଲା ।