କନକ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ଶକ୍ତି । ଆଇପିଏଲ ଫାଇନାଲ ମ୍ୟାଚରେ ସମ୍ମାନିତ ହେବେ ଭାରତୀୟ ବୀର । ଅପରେସନ ସିନ୍ଦୂରର ନାୟକଙ୍କୁ ସଲାମ କରିବ ଆଇପିଏଲ ଫାଇନାଲ୍ । ଆଜ୍ଞା ହଁ ଅପରେସନ ସିନ୍ଦୂରରେ ଯେଉଁ ବୀରମାନେ ଆତଙ୍କୀସ୍ତାନର ଅଣ୍ଟା ଭାଙ୍ଗିଦେଇଥିଲେ ସେମାନଙ୍କୁ ସମ୍ମାନିତ କରିବ ବିସିସିଆଇ । 

Advertisment

ଆଇପିଏଲ ଉଦ୍‌ଯାପନୀ ଉତ୍ସବରେ ଦେଖିବାକୁ ମିଳିବ ସିନ୍ଦୂରର ସଫଳତା । ଆଇପିଏଲ ଫାଇନାଲ ମ୍ୟାଚ ଭାରତୀୟ ସେନାଙ୍କ ପାଇଁ ହେବ ସମର୍ପିତ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଘୋଷଣା କରିଛି ଯେ ଆଗାମୀ IPL ୨୦୨୫ର ସମାପ୍ତି ଉତ୍ସବ ଭାରତୀୟ ସଶସ୍ତ୍ର ବାହିନୀର ସମ୍ମାନାର୍ଥେ ଉତ୍ସର୍ଗ କରାଯିବ । ଆଇପିଏଲ ଫାଇନାଲ ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । 'ଅପରେସନ୍ ସିନ୍ଦୂର'ରେ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ ଭାରତୀୟ ସେନା ଦ୍ୱାରା ନିଆଯାଇଥିବା ସଫଳ କାର୍ଯ୍ୟାନୁଷ୍ଠାନକୁ ସମ୍ମାନିତ କରିବା ପାଇଁ ଏହି ପଦକ୍ଷେପରେ ଲକ୍ଷ୍ୟ ରଖାଯାଇଛି । 

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି- ବିସିସିଆଇ ପକ୍ଷରୁ, ଆମେ ଆମର ସାହସୀ ସୈନିକଙ୍କ ସାହସ ଓ ନିଃସ୍ୱାର୍ଥପର ସେବାକୁ ସଲାମ କରୁଛୁ । 'ଅପରେସନ୍ ସିନ୍ଦୂର' ଅଧୀନରେ ଆମର ସୈନିକମାନେ ଯେଉଁ ସାହସିକତା ଦେଖାଇଛନ୍ତି ତାହା କେବଳ ଦେଶକୁ ସୁରକ୍ଷିତ ରଖେ ନାହିଁ ବରଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଦିଏ । ଏହି ସମ୍ମାନରେ, ଆମେ IPL ୨୦୨୫ର ସମାପ୍ତି ଉତ୍ସବକୁ ସେନାକୁ ଉତ୍ସର୍ଗ କରିବାକୁ ଏବଂ ଆମର ସୈନିକମାନଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛୁ । କ୍ରିକେଟ ଦେଶର ପ୍ରିୟ ଖେଳ ହୋଇପାରେ, କିନ୍ତୁ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ସୁରକ୍ଷା ପ୍ରଥମେ ଥାଏ । 

୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ, ଭାରତୀୟ ସଶସ୍ତ୍ର ବାହିନୀ 'ଅପରେସନ୍ ସିନ୍ଦୂର' ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ । ଡ୍ରୋନ୍‌, ମିସାଇଲ ମାଡ଼ରେ ଘାଇଲା ହୋଇଥିଲା ପାକିସ୍ତାନ । ସେପଟେ ଭାରତ ପାକିସ୍ତାନ ସହ ସମସ୍ତ କୂଟନୈତିକ ସମ୍ପର୍କ ବି ଛିନ୍ନ କରିଦେଇଥିଲା । 

ଭାରତ ପାକିସ୍ତାନ ଯୁଦ୍ଧ ଭିତରେ IPLକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୁନର୍ବାର ଆରମ୍ଭ ହେବା ପରେ, ବିଭିନ୍ନ ମ୍ୟାଚ୍‌ରେ ଖେଳାଳିମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଷ୍ଟାଡିୟମ୍‌ରେ "ଧନ୍ୟବାଦ, ସଶସ୍ତ୍ର ବାହିନୀ" ଭଳି ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।