କନକ ବ୍ୟୁରୋ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବିଜେତା ଟିମ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା କରିଛି । ବୋର୍ଡ ୫୮ କୋଟି ଟଙ୍କାର ନଗଦ ରାଶି ଘୋଷଣା କରିଛି । ଏହି ପୁରସ୍କାର ଖେଳାଳି, କୋଚିଂ ଓ ସହଯୋଗୀ ଷ୍ଟାଫ, ଅଜିତ ଅଗରକରଙ୍କ ଚୟନ ସମିତିକୁ ମିଳିବ । ହେଲେ କାହାକୁ କେତେ ଟଙ୍କା ମିଳିବ ଏନେଇ ବୋର୍ଡ ନିଜ ବୟାନରେ ସୂଚନା ଦେଇନାହିଁ । ଭାରତୀୟ ପୁରୁଷ କ୍ରିକେଟ ଟିମ୍ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ପରାଜିତ କରି ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା ।
କ୍ୟାପଟେନ ରୋହିତ ଶର୍ମାଙ୍କ କୁଶଳୀ ଓ ଚତୁର ନେତୃତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫିରେ ଅପରାଜୟ ରହି ଚାମ୍ପିୟନ ହୋଇଥିଲା । ପ୍ରଥମେ ବାଂଲାଦେଶ, ପରେ ପାକିସ୍ତାନ, ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଥିଲା ଭାରତ । ଆଉ ସେମିରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଫାଇନାଲରେ ପୁଣି ନ୍ୟୁଜିଲାଣ୍ଡକୁ ଚିତ୍ କରିଦେଇଥିଲା ଭାରତ ।
🚨 NEWS 🚨
— BCCI (@BCCI) March 20, 2025
BCCI Announces Cash Prize for India's victorious ICC Champions Trophy 2025 contingent.
Details 🔽 #TeamIndia | #ChampionsTrophyhttps://t.co/si5V9RFFgX
ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ଲଗାତାର ଆଇସିସି ଟ୍ରଫି ଜିତିବା ବହୁତ ଖାସ୍, ଏହି ପୁରସ୍କାର ବିଶ୍ୱସ୍ତରୀୟ ମଞ୍ଚରେ ଟିମ ଇଣ୍ଡିଆର ସମର୍ପଣ ଓ ଉତ୍କୃଷ୍ଟ ପ୍ରଦର୍ଶନକୁ ଦର୍ଶାଉଛି । ଆଇସିସି ଅଣ୍ଡର-୧୯ ମହିଳା ବିଶ୍ୱକପ ଜିତିବା ପରେ ୨୦୨୫ରେ ଆମେ ଦ୍ୱିତୀୟ ଆଇସିସି ଟ୍ରଫି ଜିତିଛୁ ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଟିମ ଉପରେ ଟଙ୍କା ବର୍ଷା ହୋଇଥିଲା । ଟ୍ରଫି ଜିତିବା ପାଇଁ ଟିମ ଇଣ୍ଡିଆକୁ ପାଖାପାଖି ୧୯.୪୮ କୋଟି ମିଳିଥିଲା । ସେହିପରି ଫାଇନାଲ ହାରିଥିବା ଟିମ ନ୍ୟୁଜିଲାଣ୍ଡକୁ ୯.୭୪ କୋଟି ଟଙ୍କା ମିଳିଛି । ସେହିପରି ସେମିଫାଇନାଲରେ ହାରିଥିବା ଉଭୟ ଟିମକୁ ପାଖାପାଖି ୪.୭୮ କୋଟି ଟଙ୍କା ମିଳିଥିଲା ।