କନକ ବ୍ୟୁରୋ : ପେଟପାଟଣା ପାଇଁ ବନ୍ଧା ପଡ଼ିଛି ଶୈଶବ । ନାଟ କଲେ ହିଁ ପେଟକୁ ମିଳୁଛି ଦାନା । ଆଉ ନାଟକର ନାୟିକା କୁନି ଝିଅଟିଏ । ମେଳାରେ ବୁଲୁ ବୁଲୁ ଆପଣଙ୍କ ନଜରରେ ବି ପଡ଼ିଥିବ ଦଉଡ଼ି ଉପରେ ଦୁଃସାହସିକ ଖେଳ ଦେଖାଉଥିବା କୁନି କୁନି ଛୁଆଙ୍କ ନିରୀହ ଚେହେରା । ଉଦଳାରେ ବି ଆମ କ୍ୟାମେରାରେ କଏଦ ହୋଇଥିଲା ସେମିତି ଏକ ଝିଅ । ଆଖି ଓଦା କରିଥିଲା ତା ପରିବାରର ସଂଘର୍ଷର କଥା ।

Advertisment

ପାଠପଢ଼ା ବୟସରେ ପେଟ ପାଇଁ ନାଟ । ଭୋକର ତାଡ଼ନାରେ ମଉଳି ଯାଉଛି ଭବିଷ୍ୟତ । ହାତରେ ସିଲଟ ଖଡ଼ି ବଦଳରେ, ବାଉଁଶ ଖଣ୍ଡିଏ ଧରାଇ ଦେଇଛନ୍ତି ବାପାମାଆ । ମୁଣ୍ଡରେ କଳସି ଥୋଇ ଟଳମଳ ପାଦରେ ଦଉଡ଼ି ଉପରେ ଖେଳ ଦେଖାଉଛି କଅଁଳ କଢ଼ି । ଟିକିଏ ଏପଟ ସେପଟ ହେଲେ ଜୀବନକୁ ବିପଦ । ହେଲେ ଏଠି ତ.. ଭୟ ଉପରେ ଭାରି ପଡ଼ୁଛି ଭୋକ । ତେଣୁ ଡରକୁ ଛାତିରେ ଜାକି, ମୁହଁରେ ହସ ରଖି, ଖେଳ ଦେଖାଉଛି ବାଉଁଶରାଣୀ । ୯ ବର୍ଷର ଝିଅ ଓ ବଡ଼ ପୁଅକୁ ଧରି ଛତିଶଗଡ଼ରୁ ଓଡ଼ିଶା ଆସିଛନ୍ତି ଏହି ପରିବାର । ଏ ଜାଗାରୁ ସେ ଜାଗା, ଏ ସହରରୁ ସେ ସହର, ଏ ମେଳାରୁ ସେ ମେଳା । ଏଇ ବାଉଁଶରାଣୀ ଖେଳ ହିଁ ଏ ପରିବାରର ଏକମାତ୍ର ରୋଜଗାରର ସାହାରା । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ : ଘରକୁ ଘର ବୁଲି ଜିନିଷ ବିକିଲେ : ୨୦ ପିଲାଙ୍କୁ ନର୍କରୁ ଉଦ୍ଧାର କଲେ , କିଏ ଏହି ରିୟଲ୍ ଲାଇଫ୍ ମର୍ଦ୍ଦାନୀ ?

ଫୁଟପାଥରେ ବିତୁଛି ରାତି । କେବେ ପେଟ ପୁରୁଛି, କେବେ ପୁରୁନି । ହେଲେ ଦଉଡ଼ି ଉପରେ ଚଢ଼ିଗଲେ, ସତେ ଯେମିତି ସବୁକଷ୍ଟ ଭୁଲି ଯାଉଛି ଏ କୁନି ଝିଅ । କିଏ କୁନି ଝିଅର କଳାକୁ ଦେଖି ମଜା ନେଉଛି, ଆଉ କିଏ ଭାଗ୍ୟକୁ ଦେଖି ଆହା ପଦେ କହୁଛି । ହେଲେ ଏ ପରିବାର ପାଇଁ ଦର୍ଶକଙ୍କ ମନୋରଞ୍ଜନ ହିଁ ମୁଖ୍ୟ । କାରଣ ତାଳି ମିଳିଲେ ଭିଡ଼ ବଢ଼ିବ । ଲୋକେ ଦଶ କୋଡ଼ିଏ ଟଙ୍କା ଲେଖାଏଁ ଥାଳିଆରେ ରଖିଲେ, ପେଟକୁ ଦାନା ଯିବ। କିଏ ଟଙ୍କା ଦିଏ, କିଏ ଦିଏନି । ହେଲେ ଖେଳ ବନ୍ଦ ହୁଏନି ।

କେଉଁ ବାପା ମାଆ ଚାହେ, ପୁଅ ଝିଅ ପାଠ ନପଢ଼ି ମେଳାରେ ଖେଳ ଦେଖାନ୍ତୁ ? ହେଲେ ଭୋକ ଓ ଭବିଷ୍ୟତର ଦୋଛକିରେ ଏମାନଙ୍କ ପାଇଁ ଜୀବନ ବଞ୍ଚିବା ବି ବାଉଁଶରାଣୀ ଖେଳଠୁ କମ୍ ନୁହେଁ ।