କନକ ବ୍ୟୁରୋ: ୨୦୨୬ରେ ଆସାମ ବିଧାନସଭା ନିର୍ବାଚନ । ହେଲେ ଏବେଠୁ ଆସାମ ଦଖଲ କରିବାକୁ ରଣନୀତି ଓ ବୟାନବାଜି ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳର ନେତା । ଏହି କ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରି ଦେଲେଣି । ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ସତ୍ତାକୁ ଆସିଲେ ହିମନ୍ତ ବିଶ୍ୱଶର୍ମାଙ୍କୁ ଜେଲ୍‌ ପଠାଇବା ବ୍ୟବସ୍ଥା କରାଯିବ । ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ହିଁ ବୟାନ ବାଜି ଆରମ୍ଭ ହୋଇଯାଇଥିବା କଥା କୁହାଯାଉଛି । 

Advertisment

ଗତ ବୁଧବାର ଦିନିକିଆ ଆସାମ ଗସ୍ତରେ ଆସିଥିଲେ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ । ଏହି ଅବସରରେ ରାହୁଲ ଆସାମର ଚାୟଗାଓଁରେ ଏକ ଦଳୀୟ ବୈଠକରେ ଦାବି କରିଛନ୍ତି ଯେ ଆସାମର ମୁଖ୍ୟମନ୍ତ୍ରୀ ନିଜକୁ 'ରାଜା' ଭାବନ୍ତି, କିନ୍ତୁ ସେ ଖୁବଶୀଘ୍ର ଜେଲରେ ଥିବେ । ସେପଟେ, ହିମନ୍ତ ରାହୁଲଙ୍କ ଏହି ବୟାନର କଡ଼ା ଜବାବ ଦେଇଛନ୍ତି । ହିମନ୍ତ କହିଛନ୍ତି ଯେ, ରାହୁଲ ଏକ ବୈଠକରେ କହିଥିଲେ ମୋତେ ଜେଲ୍‌ ପଠାଇବେ । ସେ କେବଳ ଏହା କହିବା ପାଇଁ ଆସାମ ଆସିଥିଲେ, କିନ୍ତୁ ଆମର ନେତା ଭୁଲିଗଲେ ଯେ ସେ ନିଜେ ଦେଶବ୍ୟାପୀ ପଞ୍ଜିକୃତ ଅନେକ ଆପରାଧିକ ମାମଲାରେ ଜାମିନରେ ଅଛନ୍ତି ।

ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ଆସାମ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ବୟାନକୁ ଉଲ୍ଲେଖ କରି ଲେଖିଛନ୍ତି ଯେ ଯେଉଁମାନେ ଦେଶବ୍ୟାପୀ ଅନେକ ମାମଲାରେ ନିଜେ ଜାମିନରେ ଅଛନ୍ତି ସେମାନେ ଅନ୍ୟମାନଙ୍କୁ ଜେଲ ପଠାଇବା କଥା କହୁଛନ୍ତି । ସେ ଲେଖିଛନ୍ତି, "ରାହୁଲ ଗାନ୍ଧୀ ସହଜରେ ଭୁଲିଯାଇଛନ୍ତି ଯେ ସେ ନିଜେ ଦେଶବ୍ୟାପୀ ପଞ୍ଜିକୃତ ଅନେକ ଆପରାଧିକ ମାମଲାରେ ଜାମିନରେ ଅଛନ୍ତି ।" ହିମନ୍ତ ରାହୁଲଙ୍କୁ ତାଚ୍ଛଲ୍ୟ କରି କହିଥିଲେ, "ରାହୁଲ ଜୀ, ମୋର ଶୁଭେଚ୍ଛା ଆପଣଙ୍କ ସହିତ ଅଛି । ଆସାମର ଆତିଥ୍ୟ ଉପଭୋଗ କରନ୍ତୁ ।" ଏହା ସହିତ, ସେ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀ କେବଳ ମୋତେ ଜେଲ୍ ପଠାଇବା ବିଷୟରେ କଥା ହେବା ପାଇଁ ଆସାମ ଆସିଛନ୍ତି । ଉଭୟ ନେତାଙ୍କ ବୟାନ ପରେ ଆସାମ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି । 

ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ଆସାମରେ ପହଞ୍ଚି ଦଳର ଶୀର୍ଷ ନେତୃତ୍ୱଙ୍କ ସହ ମିଶି ନିର୍ବାଚନ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି ରାହୁଲ ଓ ଖଡ଼ଗେ । ଏଠାରେ ଅନେକ ଦଳୀୟ ବୈଠକ କରିବା ସହ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ହିମନ୍ତ ବିଶ୍ୱଶର୍ମା ଓ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ।