କନକ ବ୍ୟୁରୋ : ନଦୀ କୂଳିଆ ଗାଁରେ ପାନୀୟ ଜଳ ସଙ୍କଟ । ୩ ବର୍ଷ ହେବ ଟାଙ୍କି ନିର୍ମାଣ ସରିଛି, ହେଲେ କାର୍ଯ୍ୟକ୍ଷମ ହୋଇନି। ତେଣୁ ଲୋକମାନେ ନଦୀ ପଠାରେ ବାଲି କୁଆ ଖୋଳି ଶୋଷ ମେଣ୍ଟାଉଛନ୍ତି । ଜଳ ସଙ୍କଟର ଏଭଳି ସୂଚନା ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ।
ଧର୍ମଗଡ଼ ବ୍ଲକରେ ଥିବା ୩ଟି ନଳକୂପ ଅଚଳ । ଯାହା ସଚଳ ସେଥିରୁ ବାହାରୁଛି ଗୋଳିଆ ପାଣି, ସେ ପାଣି ପିଇବା ଯୋଗ୍ୟ ନୁହେଁ । ତେଣୁ ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ତେଲ ନଦୀ ପଠାରେ ବାଲି ଚୂଆ କରି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ । ଛାତ୍ରୀମାନେ ପଢ଼ା ବନ୍ଦ କରି ନଦୀକୁ ଯାଇ ପାଣି ଆଣୁଛନ୍ତି।
ଥନଟ ଗାଁରେ ୧୫ଶହରୁ ଅଧିକ ଲୋକ ବସବାସ କରନ୍ତି । ପିଇବା ପାଣି ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀଙ୍କ ସୁବିଧା ପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ହୋଇଛି । ୩ବର୍ଷ ତଳେ ଲକ୍ଷାଧିକ ଟଙ୍କାରେ ଇନଟେକ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ଜଳ କଷ୍ଟ ଦୂର ହେଉନାହିଁ । କାରଣ ଆଜିଯାଏଁ ଏହା କାର୍ଯ୍ୟକ୍ଷମ ହୋଇନାହିଁ ।
ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ। ଆବଶ୍ୟକ ତଦାରଖ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ପାଇଁ ସରକାରଙ୍କ ଯୋଜନା ପ୍ରହସନରେ ପରିଣତ ହୋଇଛି ।